ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୋନା ସମୟରେ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା । ଏବେ କରୋନା ଡର ନାହିଁ । ପୁରୀର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଏବେ ଭକ୍ତଙ୍କ ପାଇଁ ଚାରୋଟି ଦ୍ୱାର ଖୋଲାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେ ଆହୁରି କହିଛନ୍ତି, ପୁରୀ ଅଧିବାସୀ ଏବଂ ଅନେକ ହିନ୍ଦୁ ଲୋକେ ପୁରୀରେ ଆସି ରୁହନ୍ତି ।ସେମାନେ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ଜଗା ସଙ୍ଗେ ନିତିଦିନିଆ ସମ୍ପର୍କ, ଭାବ ଅଛି । ବୟସ୍କ ଲୋକେ, ମା’ ମାନେ ଦର୍ଶନ କରିଥାନ୍ତି । ସେଥିପାଇଁ ଚାରୋଟି ଦ୍ୱାର ହୋଇଥିଲା । ସ୍ଥାୟୀ ଭାବେ ଅଟକାଇବା ଭଲ ହେବନି । ଅନନ୍ୟ ପରମ୍ପରାର ମନ୍ଦିର, ସବୁ ଖୋଲା ମେଲା, ଅବାଧରେ ଦର୍ଶନ ହୋଇଥାଏ । ଚାରୋଟି ଦ୍ୱାର ସହ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଖୋଲିବା ଉଚିତ ହେବ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ହେଉ । ପଦକ୍ଷେପ ନେବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ସେପଟେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର। ମନ୍ଦିର ପ୍ରଶାସନ ହାକିମାତ ନଦେଖେଇ ଶୀଘ୍ର ଚାରିଦ୍ୱାରା ଖୋଲୁ । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଚାରିଦ୍ୱାର ଖୋଲାଯାଉ। ଲୋକେ ଚାହୁଁଛନ୍ତି ଖୋଲିବାକୁ, ଜନମତକୁ ସମ୍ମାନ ଜଣାଇ ଖୋଲାଯାଉ ବୋଲି ନରସିଂହ କହିଛନ୍ତି।
ତେବେ ବର୍ତ୍ତମାନ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବା ଲାଇନ୍ ବଢିବାରେ ଲାଗିଛି । ରଥଯାତ୍ରା ପରେ ଚାରିଦ୍ବାର ଖୋଲିବା ନେଇ ଗତ ରଥ ସମନ୍ୱୟ ବୈଠକରେ ସରଗରମ ଆଲୋଚନା ହୋଇଥିବା ବେଳେ ଫଳ କିନ୍ତୁ ଶୂନ । ତେବେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭକ୍ତ, ସେବାୟତ ଓ ପୁରୀବାସୀ ଚାରିଦୁଆରେ ଖୋଲିବାକୁ ଦାବି କରିଥିଲେ । ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ।
ତେବେ ରଥଯାତ୍ରା ପରେ ଏହା ଉପରେ ବିଚାର କରାଯିବ ବୋଲି ସୂଚନା ମିଳିଥିଲା । ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗତ ଦ୍ୱିତୀୟ ରଥ ସମନ୍ୱୟ ବୈଠକରେ ଚାରି ଦୁଆର ଖୋଲାଯିବା ମୁଖ୍ୟ ପ୍ରସଙ୍ଗ ମଧ୍ୟ ପାଲଟିଥିଲା । କିନ୍ତୁ ରଥଯାତ୍ରା ସରିବାର ୧୫ଦିନ ପରେ ବି ସମାନ ଅବସ୍ଥା । ତେବେ ଯାହାକୁ ନେଇ ବରିଷ୍ଠ ସେବାୟତଙ୍କ ଠାରୁ ଭକ୍ତମାନେ ଚାରିଦ୍ବାର ଖୋଲିବା ପାଇଁ ଦାବି କରିଛନ୍ତି ନଚେତ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ଦାଇତାପତି ସେବକ ଚେତାବନୀ ଦେଇଛନ୍ତି ।
ସେପଟେ ଚାରିଦ୍ବାର ଯଥାଶୀଘ୍ର ଖୋଲିବା ଦାବି ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । ଏକ ଲକ୍ଷ ଭକ୍ତଙ୍କ ଠାରୁ ଦସ୍ତଖତ ରଖାଯାଇଥିଲା । ଚାରିଦ୍ବାର ନଖୋଲାଯିବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ପ୍ରତିଦିନ ପୁରୀ ବାସିନ୍ଦାମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ବିଡମ୍ବନାର ବିଷୟ ସ୍ଥାନୀୟ ବାସିନ୍ଦାମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଉତ୍ତରଦ୍ବାର ବାଟରେ ଭକ୍ତ, ଶ୍ରଦ୍ଧାଳୁମାନେ ମହାପ୍ରସାଦ କିଣିବାକୁ ଛଡାଯାଉନଥିବାରୁ ବଞ୍ଚିତ ରହୁଥିବା ଅଭିଯୋଗ ମଧ୍ୟ ହୋଇଛି। ମହାପ୍ରସାଦ ପାଇବା ପାଇଁ ଭକ୍ତମାନେ ଉତ୍ତରଦ୍ବାର ସମ୍ମୁଖକୁ ଯାଉଥିବା ବେଳେ ଅନେକ ଦଲାଲଙ୍କ ଦ୍ୱାରା ଶୋଷଣ ମଧ୍ୟ ହେଉଥିବା ଅଭିଯୋଗ ହୋଇଛି ।





