(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ବିଧାନସଭା ଅଧିବେଶନ ପୂର୍ବରୁ ବିଜେପି-ଶିବସେନା ସମ୍ପର୍କକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏବଂ ବିଜେପି ବିଧାୟକ ଆଶିଷ ଶେଲାରଙ୍କ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ଏବଂ ସେନା ଦଳର ନେତା ଅଧଘଣ୍ଟାଏ ଧରି ଗୁପ୍ତରେ ବୈଠକ କରିବା ପଛର ଉଦ୍ଦେଶ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସଞ୍ଜୟ ରାଉତ ଏହି ବୈଠକକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କିନ୍ତୁ ଶିବସେନା ସହ ସମ୍ପର୍କକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସାଧାରଣତଃ ଉଦ୍ଧବ ଠାକରେ ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରୁଥିବା ବିଜେପି ନେତା ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ସେନା ଆମ ପାଇଁ “ଶତ୍ରୁ” ନୁହେଁ । ଦୁଇ ପୂର୍ବତନ ସହଯୋଗୀ ଦଳ ପୁଣି ଥରେ ଏକାଠି ହେବାର ସମ୍ଭାବନାକୁ ନେଇ ଫଡନାଭିସ୍ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ “ଆମେ (ଶିବସେନା ଏବଂ ବିଜେପି) କେବେ ବି ଶତ୍ରୁ ନଥିଲୁ। ସେମାନେ ଆମର ବନ୍ଧୁ ଏବଂ ଯେଉଁ ଲୋକଙ୍କ ବିରୋଧରେ ସେମାନେ ଲଢିଥିଲେ, ସେମାନଙ୍କ ସହ ମିଶି ସରକାର ଗଠନ କରିଛନ୍ତି । ରାଜନୀତିରେ କୌଣସି ଯଦି କିନ୍ତୁ ପରନ୍ତୁ ନଥାଏ , ସର୍ଵଦା ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯାଏ ବୋଲି ଫଡନାଭିସ୍ କହିଛନ୍ତି। ତେବେ ଏନସିପି ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଗୁଡିକର କାର୍ଯ୍ୟାନୁଷ୍ଠାନ ସମୟରେ ବିଜେପିର ଏଭଳି ବୟାନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଉଭୟ ଶିବସେନା ଏବଂ ଏନସିପି କହିଛନ୍ତି ଯେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡୀ ସରକାରକୁ ଅସ୍ଥିର କରିବା ପାଇଁ ବିରୋଧୀ ଦଳ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ଏପଟେ କଂଗ୍ରେସ ମଧ୍ୟ ସ୍ପଷ୍ଟ କରିଛି ଯେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେମାନେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାରରେ ଅଛନ୍ତି । ଗତ ସପ୍ତାହରେ ଏନସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ସେହି ଦିନ କ୍ୟାବିନେଟ ମନ୍ତ୍ରୀ ଜିତେନ୍ଦ୍ର ଆହାଦ, ଗୃହମନ୍ତ୍ରୀ ଦିଲୀପ ୱାଲ୍ସ ପାଟିଲ ଏବଂ ଆଦିତ୍ୟ ଠାକରେଙ୍କ ପରି ଅନ୍ୟ ନେତା ମାନେ ମଧ୍ୟ ପାୱାରଙ୍କୁ ଭେଟିଥିଲେ। ଗତ ମାସରେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକାନ୍ତରେ ସାକ୍ଷାତ କରିବା ପର ଠାରୁ ବିଜେପି ଓ ସେନାର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶିବସେନା ଏହାକୁ ଏକ ପ୍ରୋଟୋକଲ୍ ଭାବରେ ବ୍ୟାଖ୍ୟା କରି କହିଛି ଯେ ରାଜନୈତିକ ସମ୍ବନ୍ଧ କେବେବି ବ୍ୟକ୍ତିଗତ ସମ୍ପର୍କକୁ ଖରାପ କରି ନଥାଏ । ସାଂସଦ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି ଯେ ଏଭଳି ଗୁଜବ ଯେତେ ବିସ୍ତାର ହେବ, MVA ଗଠବନ୍ଧନ ସେତେ ଶକ୍ତିଶାଳୀ ହେବ। ସେ ବିଜେପି ନେତା ଆଶିଷ ଶେଲାରଙ୍କୁ ଭେଟିଥିବା ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ” ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ବିଜେପି ନେତା ଆଶିଷଙ୍କୁ ଭେଟିଥିଲେ।ମହାରାଷ୍ଟ୍ରର ରାଜନୀତି ଭାରତ ଏବଂ ପାକିସ୍ତାନ ଭଳି ନୁହେଁ। ରାଜନୀତିକ ମତ ପାର୍ଥକ୍ୟ ସତ୍ତ୍ୱେ ଆମର ସମ୍ପର୍କ ରହିଛି। ଯେଉଁମାନେ ମୋତେ ପସନ୍ଦ କରନ୍ତି ନାହିଁ ସେମାନେ ଆସନ୍ତାକାଲିର ବିଧାନସଭା ଅଧିବେଶନ ପୂର୍ବରୁ ଗୁଜବ ପ୍ରଚାର କରୁଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି।”





