ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନସଭାରେ ଜାତି ଭିତ୍ତିକ ସର୍ବେକ୍ଷଣର ତଥ୍ୟ ଉପସ୍ଥାପନ କରିଥିଲେ। ତେବେ ତଥ୍ୟ ରଖିବା ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମତ ଦେବା ବେଳେ ଯୌନ କ୍ରିୟାକୁ ନେଇ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର କରିଥିଲେ ନୀତୀଶ । ନୀତୀଶ କୁମାର ମହିଳା ଶିକ୍ଷା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବିଧାନସଭାରେ ଯାହା କହିଥିଲେ ତାହା ଶୁଣି ସେଠାରେ ଉପସ୍ଥିତ ଥିବା ନିଜ ଦଳର ସଦସ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା | ଗୃହରେ ଉପସ୍ଥିତ ଥିବା ମହିଳା ସଦସ୍ୟାମାନେ ମଧ୍ୟ ଅସହଜ ହୋଇପଡିଥିଲେ। ଏହାପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା | ତେବେ ବିବାଦ ବଢିବା ପରେ ଏବେ ନୀତିଶ କୁମାର କ୍ଷମା ମାଗିଛନ୍ତି | କ୍ଷମା ମାଗିବା ସହ ନିଜ ଶବ୍ଦ ଫେରାଇ ନେଇଛନ୍ତି ନୀତିଶ |
ନୀତିଶ ଆଜି କହିଛନ୍ତି, “ମହିଳାମାନଙ୍କୁ ଅସମ୍ମାନ କରିବାର ମୋର ଉଦ୍ଦେଶ୍ୟ ନଥିଲା। ଯଦି ବି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଛି, ତା’ହେଲେ ମୁଁ ସେସବୁ ଫେରାଇ ନେଉଛି। ମୁଁ ଏମିତି ହିଁ ସବୁ କଥା କହିଥିଲି। ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ ତ ମହିଳାମାନଙ୍କ ଶିକ୍ଷାର କଥା କହିଥିଲି। ତଥାପି ଯଦି ମୋ ବୟାନରେ କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ କ୍ଷମା ମାଗୁଛି।”
ତେବେ ନୀତିଶଙ୍କ ବୟାନ ପରେ ବିଜେପି ପକ୍ଷରୁ ତାଙ୍କୁ କଡା ସମାଲୋଚନା କରାଯାଇଥିଲା | ଅନ୍ୟପଟେ ନିଜ ଟିପ୍ପଣୀ ନେଇ ନୀତିଶ କ୍ଷମା ମାଗନ୍ତୁ ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କହିଥିଲେ |





