‘5T ଟା କ’ଣ ବୁଝା ପଡୁନି, ଏହା କ’ଣ ଏକ ବିଭାଗ କି?’: ବିଧାନସଭା ଶୂନ୍ୟକାଳରେ ପ୍ରଶ୍ନ କଲେ ଜୟନାରାୟଣ

ଭୁବନେଶ୍ୱର,୧୩/୩ (ସତ୍ୟପାଠ ବ୍ୟୁରୋ): 5T ଟା କ’ଣ ବୁଝା ପଡୁନି । ଏହା କ’ଣ ଏକ ବିଭାଗ କି ? ଯଦି ଏହା ଏକ ବିଭାଗ, ତେବେ ଏହାର ଅଫିସ କେଉଁଠି ଅଛି? ଆଜି ବିଧାନସଭାର ଶୂନ୍ୟକାଳରେ କିଛି ଏଭଳି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ସେ ଆହୁରି ପ୍ରଶ୍ନ କରିଥିଲେ ଯେ, 5Tର ଅଫିସ ରାଜୀବ ଭବନରେ ଅଛି ନା ଲୋକସେବା ଭବନରେ ଅଛି ନା ଖାରବେଳ ଭବନରେ ରହିଛି? ଏଥିପାଇଁ ଏକ ବିଭାଗ ସୃଷ୍ଟି ହୋଇଛି କି ? ତାହାହେଲେ ଏହାର ଅନ୍ୟ କର୍ମଚାରୀ ମାନେ କିଏ ? ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ କରିବା ପାଇଁ ଏହି ବିଭାଗ କରାଯାଇଛି କି ? ଯଦି ଏହା ଏକ ବିଭାଗ, ତାହାହେଲେ ବିଧାନସଭାରେ କାହିଁକି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେଉନି? ଯଦି ଏହା ଏକ ବିଭାଗ, ତାହାହେଲେ ତାର କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଚୁ ? ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଜୟନାରାୟଣ କହିଥିଲେ।

ସେହିଭଳି ବିଧାନସଭା ବାହାରେ ମଧ୍ୟ ଆଜି ଗଣମାଧ୍ୟମ ସାମ୍ନାରେ 5T କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, 5T ଏକ କି ପ୍ରକାର ବ୍ୟବସ୍ଥା ସରକାର ଏହାର ଉତ୍ତର ଦିଅନ୍ତୁ। 5T ଏବେ ସୁପର ଚିଫ୍ ମିନିଷ୍ଟର ହୋଇଗଲେଣି। ରାଜ୍ୟରେ ବହୁ ସିନିୟର ଅଫିସର୍ ଥାଉ ଥାଉ ଜଣେ ଜୁନିୟର ଅଫିସର୍ ସମସ୍ତଙ୍କ ଉପରେ ଦାୟିତ୍ବ ସମ୍ଭାଳୁଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ 5T ଏକ ବ୍ୟବସ୍ଥା ବୋଲି ଜୟନାରାୟଣ କହିଛନ୍ତି।

ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶୂନ୍ୟକାଳରେ ଉଠାଇ ଥିବା ଏହି ପ୍ରସଙ୍ଗରେ ଜବାବ ରଖିଛି ଶାସକ ଦଳ। ସରକାରୀ ଦଳ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ। 5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇପାରେ। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା। ଏହା ମହାମନ୍ତ୍ର ଭଳି କାମ କରୁଛି।

ସେ କହିଛନ୍ତି, ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି। ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ 5T କୁ ଦେବାକୁ କହୁଛନ୍ତି। 5T କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି। ବିରୋଧୀ ଦଳ ବି 5T ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ 5T ବ୍ୟବସ୍ଥା ଏକ ଚିନ୍ତାଧାରା।

Related Posts