ଏଣିକି ହିଂସାତ୍ମକ ବ୍ୟବହାର କରୁଥିବା ରୋଗୀଙ୍କ ଚିକିତ୍ସା କରିବାକୁ ମନା କରି ପାରିବେ ଡାକ୍ତର: ଜାତୀୟ ଚିକିତ୍ସା ଆୟୋଗ ଆଣିଲେ ନୂଆ ନିୟମ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଏଣିକି ହିଂସାତ୍ମକ କିମ୍ବା ଅପମାନଜନକ ବ୍ୟବହାର କରୁଥିବା ରୋଗୀଙ୍କ ଚିକିତ୍ସା କରିବାକୁ ମନା କରି ପାରିବେ ଡାକ୍ତର। କେବଳ ରୋଗୀ ନୁହଁ ରୋଗୀଙ୍କ ସଂପର୍କୀୟ ମଧ୍ୟ ସମାନ ବ୍ୟବହାର ଦେଖାଇଲେ ଡାକ୍ତର ସଂପୃକ୍ତ ରୋଗୀଙ୍କ ଚିକିତ୍ସା କରିବାକୁ ସିଧା ମନା କରିପାରିବେ। କିନ୍ତୁ ଏପରି କରିବା ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ଯେଭଳି ନବଢିବ ସେଥିପ୍ରତି ସଂପୃକ୍ତ ଡାକ୍ତର ଧ୍ୟାନ ଦେବେ। ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ଏହି ନୂଆ ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଛି। ଡାକ୍ତରମାନଙ୍କ ପ୍ରତି ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି ବୋଲି କୁହାଯାଇଛି।

ଏହାସହିତ ଜାତୀୟ ଚିକିତ୍ସା ଆୟୋଗଙ୍କ ପକ୍ଷରୁ ଡାକ୍ତରମାନଙ୍କ ପାଇଁ ଆଉ କିଛି ନୂତନ ନିୟମ ମଧ୍ୟ ଲାଗୁ କରାଯାଇଛି। ଏନେଇ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ । ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ।

ଜାତୀୟ ମେଡିକାଲ କମିଶନ (ଏନଏମସି) ପ୍ରାୟ ଏକ ବର୍ଷ ବିଚାରାଧୀନ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସିଆର୍ସ ପ୍ରଫେସନାଲ ଆଚରଣ ନିୟମାବଳୀ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ଅନ୍ତର୍ଭୁକ୍ତ ନୂତନ ନିୟମ ଗତ ଅଗଷ୍ଟ ୨ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି।
ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯଦି କୌଣସି ଉପହାର, ଭ୍ରମଣ ସୁବିଧା, ନଗଦ କିମ୍ବା ମୁଦ୍ରା ଅନୁଦାନ ଡାକ୍ତର କିମ୍ବା ତାଙ୍କ ପରିବାରକୁ ଦିଆଯାଏ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ବାତିଲ ହେବ। ଏହା ବ୍ୟତୀତ ପଞ୍ଜୀକୃତ ଡାକ୍ତରମାନେ କୌଣସି ଫାର୍ମା କମ୍ପାନୀ ସହ ଜଡିତ ସେମିନାର, କର୍ମଶାଳା କିମ୍ବା ସମ୍ମିଳନୀ ପରି ତୃତୀୟ ପକ୍ଷ ଶିକ୍ଷାଗତ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ।

ନୂତନ ନିୟମ ଅନୁଯାୟୀ ଏଣିକି ରୋଗୀଙ୍କୁ ଅସ୍ତ୍ରୋପଚାର କିମ୍ବା ଚିକିତ୍ସା ଖର୍ଚ୍ଚ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଆବଶ୍ୟକ। ରୋଗୀକୁ ପରୀକ୍ଷା କରିବା କିମ୍ବା ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମଧ୍ୟ ତାଙ୍କୁ ପରାମର୍ଶ ଦେୟ ବିଷୟରେ ଅବଗତ କରିବାକୁ ପଡିବ। ଏହା ପରେ ମଧ୍ୟ ଯଦି ଜଣେ ରୋଗୀ ଦେୟ ପ୍ରଦାନ ନ କରନ୍ତି, ତେବେ ଡାକ୍ତରଙ୍କ ଚିକିତ୍ସା ପ୍ରତ୍ୟାଖ୍ୟାନ କରିବାର ଅଧିକାର ଅଛି, କିନ୍ତୁ ଅତି ଜରୁରୀକାଳୀନ ରୋଗୀ ଓ ରୋଗୀଙ୍କ ଜୀବନ ପ୍ରତି ବିପଦ ଥିଲେ ସେ କ୍ଷେତ୍ରରେ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ।

Related Posts