ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଗୁରୁବାର ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ-ନେହେରୁ ପରିବାରକୁ ଟାର୍ଗେଟ୍ କରିଥିଲେ। ମୋଦି କହିଥିଲେ ଯେ, ନେହେରୁଙ୍କୁ ଯଦି ଏତେ ଭଲ ପାଅ, କେହି ନେହରୁ ସାଙ୍ଗିଆ ରଖୁ ନାହାନ୍ତି କାହିଁକି? ମୋଦୀଙ୍କର ଏହି ପ୍ରଶ୍ନର ପଲଟା ଜବାବ ଦେଇଛି କଂଗ୍ରେସ। ମୋଦୀଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜଣା ନାହିଁ ବୋଲି କଂଗ୍ରେସ ସାଂସଦ ରଣଦୀପ ସିଂହ ସୂର୍ଯେୱାଲା କହିଛନ୍ତି।ଶୁକ୍ରବାର ମୋଦୀଙ୍କ ପ୍ରଶ୍ନର ଏଭଳି ଜବାବ ଦେଇଛନ୍ତି ସୂର୍ଯେୱାଲା।
ସେ କହିଛନ୍ତି ଯେ, ଭାରତୀୟ ସଂସ୍କୃତିକୁ ଜାଣି ନଥିବା ଏକ ଅଜ୍ଞ ବ୍ୟକ୍ତି ହିଁ ଏତେବଡ଼ ପଦରେ ବସିଲେ ଏହିଭଳି କଥା କହିବ, ଯାହା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଯେ କୌଣସି ବ୍ୟକ୍ତିଙ୍କୁ ପଚାରନ୍ତୁ ଯେ ଅଜାଙ୍କ ସାଙ୍ଗିଆ କିଏ ବ୍ୟବହାର କରେ ? ଆଉ ଯଦି ତାଙ୍କୁ(ପ୍ରଧାନମନ୍ତ୍ରୀଙ୍କୁ) ଦେଶର ସଂସ୍କୃତି ସମ୍ପର୍କରେ ଜଣା ନାହିଁ ତେବେ ଏହି ଦେଶକୁ ଏବେ କେବଳ ଭଗବାନ ହିଁ ଚାହିଁଲେ ବଞ୍ଚାଇ ପାରିବେ ବୋଲି ସୂର୍ଯେୱାଲା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଯେ, ଏନ୍ଡିଏ ଅମଳରେ ଯଦି ନେହେରୁଙ୍କୁ କୌଣସି ସ୍ଥାନରେ ଅଣଦେଖା କରାଯାଉଛି, ତାହାହେଲେ କଂଗ୍ରେସ ନେତା ମାନେ ସମସ୍ତେ ମୋଦୀ ସରକାରଙ୍କୁ ସମାଲୋଚନା କରିବାକୁ ପଛାଉନାହାନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ହେୟଜ୍ଞାନ କରାଯାଉଛି ବୋଲି ସେମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ନେହେରୁଙ୍କୁ ଯଦି ଏତେ ଭଲ ପାଅ, ତେବେ ତାଙ୍କ ସାଙ୍ଗିଆ କାହିଁକି ବ୍ୟବହାର କରୁନାହଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ ।
ସେହିଭଳି ୨୦୦୪ରୁ ୨୦୧୪ (କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନ) ସ୍ୱାଧୀନ ଭାରତର ସବୁଠାରୁ କଳଙ୍କିତ ଦଶନ୍ଧି ବୋଲି କହିବା ସହ ମୋଦୀ ୟୁପିଏ ଅମଳରେ ଘଟିଥିବା ସବୁ ଦୁର୍ନୀତି ସମ୍ପର୍କରେ ବଖାଣିଥିଲେ । ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ୫୦ ଥର ସମ୍ବିଧାନର ଧାରା ୩୫୬ (ଷ୍ଟେଟ୍ ଇମରଜେନ୍ସି) ବ୍ୟବହାର କରି ଏକାଧିକ ରାଜ୍ୟରେ ଥିବା ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ବୋଲି ମୋଦୀ ଅଭିଯୋଗ କରିଛନ୍ତି । ଶେଷରେ ମୋଦୀ କହିଥିଲେ ଯେ, ପଙ୍କକୁ ଯେତେ ଘାଣ୍ଟିଲେ କ’ଣ ହେବ, ସେଥିରୁ କେବଳ ପଦ୍ମ ହିଁ ଫୁଟିବ।





