ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତୀୟ ରୋଷେଇଘର ଉପରେ ପଡ଼ିଛି। ଶନିବାର ଠାରୁ ଦେଶରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ଘରୋଇ ଓ ବାଣିଜ୍ୟିକ ଦୁଇ ପ୍ରକାର ସିଲିଣ୍ଡରର ମୂଲ୍ୟ ବଢ଼ିବା ଫଳରେ କୋଟିକୋଟି ଉପଭୋକ୍ତା ଆର୍ଥିକ ଭାବେ ପ୍ରଭାବିତ ହେବେ।ସୂଚନାନୁସାରେ, ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ ୬୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବଢ଼ାଯାଇଛି। ଏହି ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ପଡ଼ିବ।ନୂତନ ଦର ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ବଢ଼ି ୯୧୩ ଟଙ୍କା ହୋଇଛି। ମୁମ୍ବାଇରେ ଏହା ୮୫୨.୫୦ ଟଙ୍କାରୁ ବଢ଼ି ୯୧୨.୫୦ ଟଙ୍କାକୁ ପହଞ୍ଚିଛି। ସେହିପରି ଚେନ୍ନାଇରେ ଘରୋଇ ସିଲିଣ୍ଡର ଦର ୮୬୮.୫୦ ଟଙ୍କାରୁ ବଢ଼ି ୯୨୮.୫୦ ଟଙ୍କା ହୋଇଛି। ଏହି ସଂଶୋଧିତ ଦର ଆଜିଠାରୁ କାର୍ଯ୍ୟକାରୀ ହୋଇଛି।ଏହି ପରିସ୍ଥିତିରେ ଦେଶରେ ଏଲପିଜି ଅଭାବ ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତେଲ କମ୍ପାନିଗୁଡ଼ିକୁ ଏଲପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ ଦେଶର ଅଧିକାଂଶ ପରିବାର ରୋଷେଇ ପାଇଁ ଏଲପିଜି ଉପରେ ନିର୍ଭର କରୁଥିବାରୁ ଏହାର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ଆବଶ୍ୟକ।ସେଥିପାଇଁ ତେଲ ବିଶୋଧନ କମ୍ପାନିଗୁଡ଼ିକୁ ପ୍ରୋପେନ ଓ ବ୍ୟୁଟେନ ଗ୍ୟାସ ବ୍ୟବହାର କରି ଏଲପିଜି ଉତ୍ପାଦନ ବଢ଼ାଇବାକୁ କୁହାଯାଇଛି। ଏହି ଦୁଇ ଗ୍ୟାସକୁ ଅନ୍ୟ ପେଟ୍ରୋରସାୟନ ଉତ୍ପାଦନରେ ବ୍ୟବହାର କରିବାକୁ ମନା କରାଯାଇଛି। ସରକାର ଆହୁରି କହିଛନ୍ତି ଯେ ତେଲ ବିଶୋଧନ କମ୍ପାନିଗୁଡ଼ିକ ପ୍ରୋପେନ ଓ ବ୍ୟୁଟେନର ସର୍ବାଧିକ ଉତ୍ପାଦନ କରି ତାହାକୁ କେବଳ ତିନିଟି ସରକାରୀ କମ୍ପାନି—ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ—କୁ ଯୋଗାଇବେ।ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଆମଦାନି ହୋଇଥିବା ସମସ୍ତ ଏଲପିଜି ମୁଖ୍ୟତଃ ରୋଷେଇ ଉଦ୍ଦେଶ୍ୟରେ ବ୍ୟବହୃତ ହେବାକୁ ନିଶ୍ଚିତ କରାଯିବ। ଏହି ନିର୍ଦ୍ଦେଶ ଉଲ୍ଲଂଘନ କଲେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଓ ଅନ୍ୟାନ୍ୟ ପ୍ରଚଳିତ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।





