ଖସୁଛି ସଂକ୍ରମଣ | ଦେଶରେ ଏବେ ଲଗାତାର ଭାବେ କରୋନା ସଂକ୍ରମଣ ଖସିବାକୁ ଲାଗୁଛି |ଫଳରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ତଳମୁହାଁ ରହିଛି | ଦିନେ ୩ ଲକ୍ଷ ଟପିଥିବା ପଜିଟିଭଙ୍କ ସଂଖ୍ୟା ମାତ୍ର କେଇ ଦିନ ମଧ୍ୟରେ ୬ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 6,396 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ପୂର୍ବଦିନ ଅପେକ୍ଷା ଆଜି(ଶୁକ୍ରବାର) କୋରୋନା ଜନିତ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦେଶରେ ଦିନକରେ 201 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 13,450 ଜଣ ସୁସ୍ଥ ହୋଇଛନ୍ତି ।
ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ 69,897ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ହ୍ରାସ ପାଇ 0.69%ରେ ପହଞ୍ଚିଛି । ଏହି କ୍ରମରେ ଏଯାବତ୍ ଦେଶରେ ମୋଟ 4,23,67,070 ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା 5,14,589 ରହିଛି । ଦେଶରେ ଏଯାବତ୍ 1,78,29,13,060 କୋଟି ଡୋଜ୍ ଟୀକାକରଣ କରାଯାଇଛି |
ଅନ୍ୟପଟେ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୨୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୨ କିଶୋର କିଶୋରୀ ରହିଥିବା ବେଳେ ୭୩ କ୍ବାରେଣ୍ଟାଇନ ସେଣ୍ଟର ଓ ୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୮, କଟକରୁ ୪, ଗଜପତିରୁ ୧୯, ଯାଜପୁରରୁ ୨, ଝାରସୁଗୁଡାରୁ ୨୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୮, କୋରାପୁଟରୁ ୭,ମାଲକାନଗିରିରୁ୧, ମୟୂରଭଞ୍ଜରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି ନବରଙ୍ଗପୁରରୁ ୫, ନୟାଗଡରୁ ୧, ନୂଆପଡାରୁ ୩,ପୁରୀରୁ ୧, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୧, ଷ୍ଟେଟପୁଲରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୬୧୫ ରେ ପହଞ୍ଚିଛି ।





