ଭୁବନେଶ୍ୱର, ୨୫/୦୬ (ସତ୍ୟପାଠ ବ୍ୟୁରୋ): ପୁଣି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଉଠିଲା ପ୍ରଶ୍ନ | ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନଙ୍କ ନାଁ ନନେଇ ତୀବ୍ର ସମାଲୋଚନା କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରବିବାର ଏକ ଟ୍ୱିଟ କରି ପୁଣି ପାଣ୍ଡିଆନଙ୍କ ସଭାରେ ପୋଲିସ ମୁତୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି |
ଏହି ଟ୍ୱିଟରେ ସେ ଏକ ସରକାରୀ ନିର୍ଦ୍ଦେଶନାମାକୁ ପୋଷ୍ଟ କରିଛନ୍ତି। ଏଥିରେ ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ପରିପେକ୍ଷୀରେ ବରଗଡ଼ ପୁଲିସର ରିଜର୍ଭ ଇନ୍ସପେକ୍ଟରଙ୍କ ନିକଟରେ ଆଜି ସକାଳ ୭ଟା ସୁଦ୍ଧା ୨୫ ଜଣ ହାବିଲଦାର, ଏପିଆର ଓ ଓଏପିଏଫଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨୫ କର୍ମଚାରୀ ଜିଲ୍ଲାର ଭିନ୍ନ ଭିନ୍ନ ୬ଟି ଥାନାରେ ମୁତୟନ ହୋଇଥିବା ବେଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ଥାନା ଗୁଡ଼ିକର ଆଇଆଇସି ମାନଙ୍କୁ ଏହି ଚିଠି କରାଯାଇଛି। ସଂପୃକ୍ତ ୨୫ ପୁଲିସ କର୍ମଚାରୀମାନଙ୍କୁ ନୀଳ ରଙ୍ଗର ପ୍ୟାଣ୍ଟ ଓ ଧଳା ଶାର୍ଟ ପିନ୍ଧିବାକୁ ମଧ୍ୟ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିର୍ଦ୍ଦେଶନାମାଟିକୁ ଟ୍ୱିଟରରେ ପୋଷ୍ଟ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି, ଯଦି ଜଣେ ‘ସମ୍ମାନନୀୟ ସଚିବ’ଙ୍କ ପାଇଁ ଓଡ଼ିଶା ପୁଲିସ୍ ଏମିତି ବ୍ୟବସ୍ଥା କରୁଛି, ତା’ହେଲେ ଦୟା କରି ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ କହିବେ କି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନଙ୍କ ପାଇଁ କେଉଁ ସ୍ତରର ସୁରକ୍ଷା ବ୍ୟବସ୍ଥା ରହିଛି? ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କର ଏତେ ଭୟ କାହିଁକି? ସେ ନିଜକୁ କାହିଁକି ଅସୁରକ୍ଷିତ ମନେ କରୁଛନ୍ତି? ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ଅପରାଜିତାଙ୍କ ଏହି ପ୍ରଶ୍ନକୁ ପୁଲିସ୍ ଡିଜିପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।





