ଭୁବନେଶ୍ୱର,୨୫/୯(ସତ୍ୟପାଠ ବ୍ୟୁରୋ): ଦଶମ ଷାଣ୍ମାସିକ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ତିଆରି କରିବ ସ୍କୁଲ। ପ୍ରଶ୍ନପତ୍ର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବକୁ ଦୂର କରି ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଷାଣ୍ମାସିକ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିବା ସହ ଗତବର୍ଷ ଭଳି ଏଥର ବି ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।
ବୋର୍ଡ ସଂପାଦକ ଆଜି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା କରିବା ନେଇ କିଛି ଦ୍ୱନ୍ଦ୍ୱ ରହିଯାଇଥିବା ଜଣାପଡ଼ୁଛି। ଏହି ପରୀକ୍ଷା ପାଇଁ ଗତ ବର୍ଷ (୨୦୨୩-୨୪ ବର୍ଷ ପାଇଁ) BSE ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା। କିନ୍ତୁ ଚଳିତ ବର୍ଷର ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ BSE ପ୍ରଶ୍ନପତ୍ର ପଠାଇବ ନାହିଁ ବୋଲି ସ୍ପଷ୍ଟ କରି ଦେଉଛି। ସମସ୍ତ ସ୍କୁଲ ସେମାନଙ୍କର ନିଜର ପ୍ରଶ୍ନପତ୍ର ପ୍ରସ୍ତୁତ କରିପାରିବେ ଅବା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପରୀକ୍ଷା କରିବା ପାଇଁ ଅଲଗା ବ୍ୟବସ୍ଥା କରିପାରିବେ। ସେଥିପାଇଁ ସେମାନେ ସ୍ୱାଧୀନ। ଏନେଇ ଆପଣମାନଙ୍କ ଅଧୀନରେ ଆସୁଥିବା ସମସ୍ତ ସ୍କୁଲକୁ ଅବଗତ କରାଇ ଦେବେ ଏବଂ ଏହି ପ୍ରସଙ୍ଗରେ କିଛି ଦ୍ୱନ୍ଦ୍ୱ ନରହିବା ଉଚିତ୍।





