ଭୁବନେଶ୍ୱର,୭/୪(ସତ୍ୟପାଠ ବ୍ୟୁରୋ): ଲୋକତନ୍ତ୍ର ନୁହେଁ ପରିବାରବାଦ୍ ବିପଦରେ ଅଛି। ଆଜି କିଛି ଏଭଳି କହି କଂଗ୍ରେସ ଏବଂ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆଜି ଉତ୍ତରପ୍ରଦେଶରେ କୌଶଂବି ମହୋତ୍ସବକୁ ଉଦଘାଟନ କରିବା ପରେ ଏକ ଜନ ସଭାକୁ ସମ୍ବୋଧନ କରି କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ଶାହ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ବିରୋଧୀ ମାନେ ଯେଉଁଭଳି ଢଙ୍ଗରେ ସଂସଦ ର ଅଧିବେଶନକୁ ଚାଲିବାକୁ ଦେଲେ ନାହିଁ ସେଥିପାଇଁ ସେମାନଙ୍କୁ ଲୋକେ କେବେ କ୍ଷମା କରିବେ ନାହିଁ।
ଏହା ଏକ ଆଇନ୍ ଗତ ପ୍ରକ୍ରିୟା, ଯଦି ସେମାନଙ୍କର କିଛି ଅସୁବିଧା ଅଛି ତେବେ ସେମାନେ କୋର୍ଟ ଯାଆନ୍ତୁ। କିନ୍ତୁ ଏଭଳି ସଂସଦକୁ ନ ଚଳାଇଦେବା ଅଗଣତାନ୍ତ୍ରିକ ବୋଲି ଶାହ କହିଛନ୍ତି । ସେ ଆହୁରି କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ରାହୁଲଙ୍କ ସଦସ୍ୟତା ଯାଇଛି।ତତ୍କାଳୀନ ମନମୋହନ ସିଂଙ୍କ ନେତୃତ୍ଵାଧୀନ ୟୁପିଏ ସରକାର ଲାଲୁ ଯାଦବ ଙ୍କୁ ବଞ୍ଚାଇବା ପାଇଁ ଏହି ନିୟମରେ ସୁଧାର ଆଣିବାକୁ ଚାହିଁଥିଲେ। ହେଲେ ରାହୁଲ ଗାନ୍ଧୀ ସେତେବେଳେ ଏହାକୁ ବିରୋଧ କରିଥିଲେ। ଆଉ ଏବେ ସୁରଟ ର କୋର୍ଟ ରାହୁଲଙ୍କୁ ସଜା ଶୁଣାଇଛନ୍ତି। ଆଉ ଏହାପରେ ତାଙ୍କର ସାଂସଦ ପଦ ଯାଇଛି। ଏଥିରେ ବିଜେପିର ଭୁଲ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କୁ ମିଶାଇ ମୋଟ ୧୭ ଜଣ ସାଂସଦଙ୍କର ସଦସ୍ୟତା ରଦ୍ଦ ହୋଇଛି। ତାହେଲେ କଂଗ୍ରେସ କାହିଁକି କେବଳ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ବିରୋଧ କରୁଛନ୍ତି। ଶାହା ଆହୁରି କହିଛନ୍ତି ଯେ, କଂଗ୍ରେସ ବିଗତ ଅନେକ ବର୍ଷ ହେଲା ଲୋକତନ୍ତ୍ର କୁ ଜାତିବାଦ ଓ ପରିବାରବାଦ୍ ସହ ଯୋଡ଼ି ଦେଶର ବହୁତ୍ କ୍ଷତି କରିଛି। କେବଳ ମୋଦି ହିଁ ଭାରତରେ ପରିବାରବାଦ୍ ପାର୍ଟିକୁ ହରାଇଛନ୍ତି। ଆଉ ବର୍ତ୍ତମାନ ଦେଶର ଲୋକତନ୍ତ୍ର ନୁହେଁ ପରିବାରବାଦ୍ ବିପଦରେ ଅଛି ସେଥିପାଇଁ କଂଗ୍ରେସ ଏଭଳି ବିରୋଧ ପ୍ରଦର୍ଶନ କରୁଛନ୍ତି ବୋଲି ଶାହ କହିଛନ୍ତି। ଏହି ଧାରାକୁ ବଜାୟ ରଖିବା ପାଇଁ ୨୦୨୪ରେ ମୋଦି ପୁଣି ବିଜୟ ଲଭ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।





