ସଂସଦରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ; ୬.୫ ପ୍ରତିଶତ ରହିପାରେ ଜିଡିପି ଅଭିବୃଦ୍ଧି ହାର

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ତେବେ ଏହାପରେ ସାଧାରଣ ବଜେଟ୍‌ ପୂର୍ବରୁ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି। ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ।ମହାମାରୀ ସମୟରେ ମନ୍ଥର ହୋଇ ଯାଇଥିବା ଅର୍ଥନୀତି ପୁଣି ଥରେ ଉପରକୁ ଉଠିଛି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ମୁତାବକ, ଭାରତୀୟ ଅର୍ଥବ୍ୟବସ୍ଥାରେ ମଜଭୁତ ବଜାୟ ରହିଛି। ବେସରକାରୀ ବ୍ୟବହାର, ଉଚ୍ଚ କ୍ୟାପେକ୍ସ, କର୍ପୋରେଟ୍ ବାଲାନ୍ସ ସିଟ୍ ମଜବୁତ କରିବା, ଛୋଟ ବ୍ୟବସାୟ ପାଇଁ ଋଣ ଅଭିବୃଦ୍ଧି ଏବଂ ପ୍ରବାସୀ ଶ୍ରମିକମାନେ ସହରକୁ ଫେରିବା ଦ୍ୱାରା ଅଭିବୃଦ୍ଧି ବୃଦ୍ଧି ପାଇଛି। ଏଥିସହ ପୁଞ୍ଜି ବିନିଯୋଗରେ ମଧ୍ୟ ବୃଦ୍ଧି ଘଟିଛି।ପିପିପି ମାମଲାରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ପାଲଟିଛି। ଏଥି ସହିତ ବିନିମୟ ମୂଲ୍ୟ ଦୃଷ୍ଟିରୁ ଏହା ପଞ୍ଚମ ବୃହତ୍ତମ ଅର୍ଥନୀତି ଅଟେ। ବିଶ୍ୱ ଆର୍ଥିକ ଏବଂ ରାଜନୈତିକ ବିକାଶ ଉପରେ ନିର୍ଭର କରି ଆଗାମୀ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି ଅଭିବୃଦ୍ଧି ୬ରୁ ୬.୮ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି।

ତେବେ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ସର୍ବାଧିକ ୬.୮ ପ୍ରତିଶତରେ ପହଞ୍ଚିପାରେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ତେଣୁ ଦରଦାମ୍‌ ବୃଦ୍ଧିକୁ କାବୁ କରିବା ପାଇଁ ଅଧିକ ସମୟ ପାଇଁ ଋଣ ମହଙ୍ଗା ରହିପାରେ ବୋଲି ଆଜି ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।

Related Posts