ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି.ସେନଥିଲ୍ ବାଲାଜୀଙ୍କୁ ଗିରଫ କରିଛି ଇଡି। କ୍ୟାସ୍ ଫର ଜବ୍ ସ୍କାମରେ ଭି. ସେନଥିଲ୍ଙ୍କୁ ଇଡି ଗତକାଲି ଗିରଫ କରିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ହଠାତ୍ ଛାତି ଯନ୍ତ୍ରଣା ହେଉଥିବା ଅଭିଯୋଗ କରି ମନ୍ତ୍ରୀ ଗାଡ଼ିରେ କାନ୍ଦି କାନ୍ଦି ଗଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ଇଡି ପକ୍ଷରୁ ବାଲାଜୀଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେହି ସମୟରେ ମନ୍ତ୍ରୀ ନିଜ ବାସଭବନରେ ଉପସ୍ଥିତ ଥିଲେ। ଅପରାହ୍ନରେ ଗିରଫଦାରୀ ହେବା ନିଶ୍ଚିତ ନେଇ ମନ୍ତ୍ରୀ ଆଭାସ ପାଇବା ପରେ ଛାତି ଯନ୍ତ୍ରଣା ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଚେନ୍ନାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ସେ କାର୍ରେ ଥିବା ବେଳେ ଯନ୍ତ୍ରଣାରେ କାନ୍ଦି ଗଡ଼ି ଯାଇଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେଠାରେ ରାପିଡ ଆକ୍ସନ ଫୋର୍ସଙ୍କୁ ମତୟନ କରାଯାଇଛି।
ଗିରଫଦାରୀ ବେଳେ ବାଲାଜୀଙ୍କ ଚେତା ନ ଥିବା ବେଳେ ଇଡି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହା ସମ୍ପୂର୍ଣ୍ଣ ବେଆଇନ୍ ତଥା ଅସାମ୍ବିଧାନିକ ବୋଲି ବାଲାଜୀଙ୍କ ଓକିଲ କହିଛନ୍ତି। ଏଥିସହ ନ୍ୟାୟ ପାଇଁ ଆଇନ୍ର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି। ସେପଟେ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ଜୋରଦାର ଆଇନଗତ ଲଢ଼େଇ ହେବ ବୋଲି ଡିଏମ୍କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଏଆଇଡିଏମ୍କେ ଥିବା ବାଲାଜୀ ୨୦୧୧ରୁ ୨୦୧୫ ମଧ୍ୟରେ ବାଲାଜୀ ପରିବହନ ମନ୍ତ୍ରୀ ଥିଲେ। ସେତେବେଳେ ତାଙ୍କ ନାଁରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା।
ଟପଟେ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବାଲାଜୀଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଥିବା ବେଳେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।





