ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ପଟିଆଲା ହାଉସ କୋର୍ଟ ସୁକେଶ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟକୁ ୯ଦିନ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏକ ନୂଆ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି। ରେଲିଗେୟର ଏଣ୍ଟରପ୍ରାଇଜେସ ଲିମିଟେଡ୍ର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂଙ୍କ ପତ୍ନୀ ଜପନା ସିଂହଙ୍କ ଠାରୁ ୪ କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ସୁକେଶଙ୍କୁ ଇଡି ଗିରଫ କରିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଉଲ୍ଲେଖଯୋଗ୍ୟ, ସୁକେଶ ୨୦୦ କୋଟି ଠକେଇ ମାମଲାରେ ପୂର୍ବରୁ ନ୍ୟାୟିକ ହେପାଜତରେ ଅଛନ୍ତି। ସେ ଫୋର୍ଟିସ ହେଲ୍ଥ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଅଦିତି ସିଂଙ୍କୁ ମଧ୍ୟ ଠକିଥିବା ଅଭିଯୋଗ ହୋଇଥିଲା। ଏଥିସହିତ ସୁକେଶ ୧୭ ବର୍ଷ ବୟସରେ ଅପରାଧ ଜଗତରେ ପ୍ରବେଶ କରିଥିଲେ। ସେ ଫୋନରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହୋଇ ଧନୀମାନଙ୍କୁ ଠକୁ ଥିଲେ। ୧୮ ବର୍ଷ ବୟସ ହେବା ପୂର୍ବରୁ ସେ ଅମଲାତନ୍ତ୍ର ହୋଇ ୧୦୦ରୁ ଅଧିକ ଲୋକଙ୍କୁ ଠକି ସାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଥିଲା।
ଏପଟେ ସୁକେଶ ଗିରଫ ହେବା ପରେ ନେରା ଓ ଜ୍ୟାକଲିନଙ୍କ ବି ତାଙ୍କ ସହିତ ଜଡ଼ିତ ଥିବା ଖବର ସାମ୍ନାକୁ ଆସିଥିଲା। ସୁକେଶ ନିଜ ଜାଲରେ ଜ୍ୟାକଲିନଙ୍କୁ ଫସାଇବା ପାଇଁ ଇଲ୍ଲାୱାଡିଙ୍କ ସହାୟତା ନେଇଥିଲେ। ଜ୍ୟାକଲିନଙ୍କ ମନ ଜିତିବା ପାଇଁ ସେ ତାଙ୍କ ପସନ୍ଦର ବ୍ରାଣ୍ଡେଡ ଡ୍ରେସ ଉପହାର ଆକାରରେ ଦେଇଥିଲେ। ତେବେ ସୁକେଶ ଗିରଫ ହେବା ଖବର ସାମ୍ନାକୁ ଆସିବା ପରେ ଜ୍ୟାକଲିନ ତାଙ୍କ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ ବୋଲି ଇଲ୍ଲାୱାଡି ପୁଲିସ୍କୁ କହିଥିଲେ।





