ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାୱାଲା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ପୁଣି ଇଡିର ରେଡ । ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବାର ଏକ ସପ୍ତାହ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆଜି ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ରେ ଥିବା ତାଙ୍କ ବାସଭବନରେ ଚଢ଼ାଉ କରିଛି । ସୂଚନାନୁସାରେ, ଜଣେ ମହିଳା କର୍ମଚାରୀଙ୍କ ସମେତ ସାତ ଜଣ ଅଧିକାରୀଙ୍କ ଏକ ଟିମ୍ ସକାଳ ପ୍ରାୟ ୭.୩୦ ସମୟରେ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେପଟେ ହାୱାଲା ଅପରେଟରଙ୍କ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ କମ୍ପାନୀ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଇଡି ଜାଣିବାକୁ ପାଇଛି। ଏଥିପାଇଁ ଇଡି ତାଙ୍କୁ ମେ’ ୩୦ରେ ଗିରଫ କରିଥିଲା। ଏବେ ସେ ଜୁନ ୯ ତାରିଖ ଯାଏ ଇଡି ହେପାଜତରେ ରହିଛନ୍ତି। ଇଡି ତାଙ୍କୁ ଦୈନିକ ଜେରା କରି ଘଟଣା ସମ୍ପର୍କରେ ବିଭିନ୍ନ ପ୍ରକାରର ତଥ୍ୟ ହାସଲ କରିବାରେ ଲାଗିଛି। ତାଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଆଜି ବିଭିନ୍ନ ଠିକଣାରେ ରେଡ୍ କରାଯାଇଥିବା ଜଣାପଡ଼ିଛି। ସତ୍ୟେନ୍ଦ୍ର ଜୈନ ୨୦୧୫ରୁ ୨୦୧୭ ମଧ୍ୟରେ ବେଆଇନ ଭାବେ ୧.୬୭ କୋଟି ଟଙ୍କା ଠୁଳ କରିଥିଲେ।
ଏହି ଟଙ୍କା ଜମି କିଣିବା ପାଇଁ ବ୍ୟବହାର ହୋଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଶେଲ କମ୍ପାନୀଗୁଡ଼ିକ କୋଲକାତାର ୨ ଜଣ ବ୍ୟକ୍ତି ପରିଚାଳନା କରୁଥିଲେ। ସେମାନେ ୧୦୦ ଟଙ୍କାରେ ୧୫ରୁ ୨୦ ପଇସା କମିସିନ ନେଇ ବେଆଇନ ଆର୍ଥିକ କାରବାର କରୁଥିବା ସ୍ୱୀକାର କରିଛନ୍ତି। ହାୱାଲା ଅପରେଟରମାନଙ୍କ ଦ୍ୱାରା ୪ଟି ଶେଲ କମ୍ପାନୀକୁ ଟଙ୍କା ପଠା ଯାଉଥିଲା ଓ ଦିଲ୍ଲୀରେ ଗୋଟିଏ ଜମି କିଣିବାକୁ ଏହାକୁ ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ସତ୍ୟେନ୍ଦ୍ର ଜୈନ ସାମିଲ ଥିବା ଇଡି କହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





