ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମନିଲଣ୍ଡରିଂ ମାମଲାରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଦ୍ଧବ ଠାକରେ। ସଞ୍ଜୟଙ୍କୁ ଗିରଫ କରାଯିବା ଶିବସେନାକୁ ଧ୍ୱଂସ କରିଦେବାର ଚକ୍ରାନ୍ତ ବୋଲି କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ଏବେ ଦେଶରେ ପ୍ରତିଶୋଧ ରାଜନୀତି ମାନସିକତା ଚାଲିଛି ବୋଲି ଉଦ୍ଧବ କହିଛନ୍ତି।
ସୂଚନା ଅନୁସାରେ ପାତ୍ର ଚଲ୍ ମନିଲଣ୍ଡରିଂ ଦୁର୍ନୀତି ମାମଲାରେ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଛି।ସୋମବାର ଉଦ୍ଧବ ସଞ୍ଜୟଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, କଂଗ୍ରେସର ୬୦ରୁ ୬୫ ବର୍ଷର ଶାସନରେ ଏଭଳି କେବେ ହେଉ ନଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରଖାଇ ଦିଆଗଲା ନାହିଁ। ବିଜେପି ଦେଶର ସମସ୍ତ ଆଞ୍ଚଳିକ ଶକ୍ତିକୁ ମୂଳପୋଛ କରିଦେବାକୁ ଯୋଜନା କରୁଥିବା ଉଦ୍ଧବ ମତ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।





