ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବିରୋଧୀ ମାନେ ତାଙ୍କ ଗସ୍ତକୁ ଜୋରଦାର ବିରୋଧ କରୁଛନ୍ତି | ପ୍ରଥମେ ଜଳେଶ୍ୱରରେ କଂଗ୍ରେସ ପରେ ଜଗତସିଂପୁରରେ ବିଜେପି ପକ୍ଷରୁ ବିରୋଧ କଟାଯିବ ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛି ଆମ ଆଦମୀ ପାର୍ଟି | କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପାଣ୍ଡିଆନଙ୍କ କାର୍କେଡ୍କୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି। ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ,ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତ ସମୟରେ ଜଳେଶ୍ୱରଠାରେ ମାନବଶୃଙ୍ଖଳ ଦ୍ୱାରା ଗସ୍ତକୁ ବିରୋଧ କରାଯିବା ସହିତ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରିଥିଲେ କଂଗ୍ରେସ | ସେପଟେ ଗତ ୨୯ ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୁଜଙ୍ଗରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ି ପିନ୍ଧି ପ୍ରତିବାଦ କରିଥିଲେ। ୫-ଟି ସଚିବ ହେଲିକପ୍ଟର୍ରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍ ଉଡ଼ାଇ ବିରୋଧ କରିଥିଲେ। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା





