ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ୩ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ତ୍ରିପୁରା, ମେଘାଳୟ ଓ ନାଗାଲ୍ୟାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ। ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ଫଳାଫଳ ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୧୨, ମେଘାଳୟର ମାର୍ଚ୍ଚ ୧୫ ଓ ନାଗାଲ୍ୟାଣ୍ଡର ମାର୍ଚ୍ଚ ୨୨ରେ ଶେଷ ହେବ। ତେଣୁ ଏହାପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କମିଶନ ଲକ୍ଷ୍ୟ ରଖିଛନ୍ତି। ଏହି ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୨.୨୮ ଲକ୍ଷ। ଏମାନଙ୍କ ମଧ୍ୟରେ ୯୭ ହଜାର ୮୦ ବର୍ଷରୁ ଅଧିକ ଓ ୨୬ଶହ ଭୋଟରଙ୍କ ବୟସ ୧୦୦ରୁ ଅଧିକ। ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ପାଇଁ ୩୭୬ଟି ପୋଲିଂ ଷ୍ଟେସନର ବ୍ୟବସ୍ଥା ହେବ ବୋଲି କମିଶନର କହିଛନ୍ତି।
ତ୍ରପିରା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ ୩୦ ରହିଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଫେବୃଆରୀ ୨ ରହିଛି।
ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଫେବୃଆରୀ ୭ ରହିଛି। ଫେବୃଆରୀ ୧୦ ସୁଦ୍ଧା ଏହି ଦୁଇ ରାଜ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୨୭ରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
ଆଜି ୩ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ୩ ରାଜ୍ୟରେ ଆଜିଠୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଛି।





