‘ନିର୍ବାଚନ ଆୟୋଗ ଏବେ ଚୂନ ଲଗାଇବା ଆୟୋଗ ହୋଇଯାଇଛି’: ଉଦ୍ଧବ ଠାକରେ

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ରବିବାର ପୁଣି ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଉଦ୍ଧବ କହିଛନ୍ତି ଯେ, ନିର୍ବାଚନ କମିଶନ କ୍ଷମତାରେ ଥିବା ଦଳ ପାଇଁ କାର୍ଯ୍ୟ କରୁଛି। ଯିିଏ କ୍ଷମତାରେ ରହିବ ନିର୍ବାଚନ ଆୟୋଗ ସେହି ଦଳର ଦାସ ହୋଇ କାମ କରିବ। ସେହିଭଳି ନିର୍ବାଚନ ଆୟୋଗ ଏବେ ଚୂନ ଲଗାଇବା ଆୟୋଗ ହୋଇଯାଇଛି ବୋଲି ଉଦ୍ଧବ କହିଛନ୍ତି। ଶିବସେନାର ନିର୍ବାଚନୀ ଚିହ୍ନ ଓ ନାମ ବିଦ୍ରୋହୀ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେବା ପ୍ରସଙ୍ଗରେ ଏପରି କହିଛନ୍ତି ଉଦ୍ଧବ ।

ସେ ଆହୁରି କହିଛନ୍ତି ଯେ, ତୁମେ (ନିର୍ବାଚନ କମିଶନ) ମୋ ଠାରୁ ଦଳର ନାମ ଓ ଚିହ୍ନ ଛଡାଇ ନେଇପାର ହେଲେ ଶିବସେନାକୁ କେବେ ମୋ ଠାରୁ ନେଇ ପାରିବ ନାହିଁ। ତେବେ ଚିହ୍ନ ହରାଇବାର ପ୍ରାୟ ସପ୍ତାହରୁ ଅଧିକ ସମୟ ପରେ ପୁଣି ଥରେ ଉଦ୍ଧବ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି । ଚିହ୍ନ ବିବାଦ ପ୍ରସଙ୍ଗ ନିର୍ବାଚନ ଆୟୋଗଙ୍କ ନିକଟରେ ବିଚାରାଧୀନ ଥିଲା । ତେବେ ଉଭୟ ଗୋଷ୍ଠୀ ନିଜକୁ ମୁଳ ଶିବସେନା କହିବା ସହ ଚିହ୍ନ ଓ ନାମ ବ୍ୟବହାର ପାଇଁ ଦାବି କରି ଆସୁଥିଲେ । ନିକଟରେ ନିର୍ବାଚନ କମିଶନ ଏହି ମୂଳ ଚିହ୍ନ ‘ଧନୁ ତୀର’କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରଦାନ କରିବା ସହ ଶିବେସନା ଦଳ ଭାବେ ମଧ୍ୟ ମାନ୍ୟତା ପ୍ରଦାନ କରିଥିଲେ । ଯାହାକୁ ନେଇ ଉଦ୍ଧବଙ୍କ ଗୋଷ୍ଠୀ କ୍ଷୁବ୍ଧ ହେବା ସହ ସର୍ବୋଚ୍ଚ କୋର୍ଟରେ ମାମଲା ମଧ୍ୟ ଦାଏର କରିଥିଲା । ହେଲେ ସେଠାରୁ ମଧ୍ୟ ଉଦ୍ଧବ କ୍ୟାମ୍ପକୁ ନିରାଶ ହେବାକୁ ଫେରିଥିଲା ।

ଶେଷରେ ନିର୍ବାଚନ ଆୟୋଗ ସରକାରୀ ଦଳର ଇଙ୍ଗୀତରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ଉଦ୍ଧବ ଗୋଷ୍ଠୀ । ଏହି ଚିହ୍ନ ପ୍ରଦାନ ଡିଲ୍‌ରେ କୋଟିକୋଟି ଟଙ୍କାର କାରବାର ହୋଇଥିବା ଉଦ୍ଧବ ଗୋଷ୍ଠୀର ଅନ୍ୟତମ ବରିଷ୍ଠ ନେତା ତଥା ନିକଟରେ ଜେଲରୁ ଫେରିଥିବା ସଞ୍ଜୟ ରାଉତ କହିଥିଲେ । ସେହିପରି ସେ ଖୁବ ଶୀଘ୍ର ଏହି ଡିଲ୍‌ ସମ୍ପର୍କିତ ସୂଚନା ମଧ୍ୟ ସାର୍ବଜନୀନ କରିବା ନେଇ ଘୋଷଣା କରିଥିଲେ ।

ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଥିଲେ । ବିଜେପି ପ୍ରରୋଚନାରେ ଏପରି ହୋଇଥିବା କହିବା ସହ ସେ ଅମିତ ଶାହଙ୍କ ଉଦ୍ଦେଶ୍ୟରେ ‘ମୋଗେମ୍ବୋ ଖୁସ ହୁଆ’ ବୋଲି ମଧ୍ୟ କହିଥିଲେ । କିଛି ଦିନର ନିରବତା ପରେ ପୁଣି ସେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି । ବିଜେପି ସହଯୋଗରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହି ବିଜେପି କେନ୍ଦ୍ରରେ ମଧ୍ୟ ସରକାରରେ ବସିଛି । ବିଜେପି ଇଙ୍ଗୀତରେ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଥିବା ଉଦ୍ଧବ ଠାକରେ କହିଆସିଛନ୍ତି ।

Related Posts