ଭୁବନେଶ୍ୱର,୦୧/୬(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ । ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ସହ ୬ ଲୋକସଭା ସହ ୪୨ ବିଧାନସଭା ଆସନରେ ହେବ ମତଦାନ । ୮ଟି ଜିଲ୍ଲାର ୬ଟି ଲୋକସଭା ଆସନ ସହ ୬୬ ଓ ୪୨ ବିଧାନସଭା ଆସନ ପାଇଁ ୩୯୪ ପ୍ରାର୍ଥୀ ଏହିଭଳି ମୋଟ୍ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ଭୋଟର ।
ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୮୮୨ଟି ବୁଥର ବ୍ୟବସ୍ଥା କରାଯାଇଛି । ଯେଉଁଥିରୁ ୧୪ ଶହ ବୁଥ୍ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଏଥିପାଇଁ ମୋଟ୍ ୭୦ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ମତଦାନ ହେବାକୁ ଥିବା ମୋଟ୍ ବୁଥରୁ ୨୧ ପ୍ରତିଶତ ବୁଥ୍କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବାରୁ ଏସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲିବ।
ମୁକ୍ତ ଓ ଅବାଧ ମତଦାନ ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୬ ହଜାର ପୋଲିସ ଫୋର୍ସ ସହ, ୧୩୬ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୮୬ ପ୍ଲାଟୁନ ଓଡ଼ିଶା ଆର୍ମଡ୍ ପୋଲିସ ନିୟୋଜିତ ଅଛନ୍ତି । ସେହିଭଳି ୨୦ ହଜାର ୫୦୦ ସିଭିଲ୍ ପୋଲିସ ଫୋର୍ସଙ୍କୁ ବି ମୁତୟନ କରାଯାଇଛି । ୨ ହଜାର ୨୮୦ ଅତି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ଏହାବାଦ୍ ୮୮୩ଟି ମୋବାଇଲ ପାର୍ଟି ମୁତୟନ ହୋଇଛନ୍ତି । ବାଲେଶ୍ୱର ଓ ମୟୂରଭଞ୍ଜ ଆନ୍ତଃ ରାଜ୍ୟ ସୀମାବର୍ତି ଜିଲ୍ଲା ହୋଇଥିବାରୁ ଏହି ୨ ଜିଲ୍ଲାରେ ୨୧ଟି ବୋର୍ଡର ଚେକ୍ ପୋଷ୍ଟ କରାଯାଇଛି । ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହରୁ ଅଂଶୁଘାତ ସ୍ଥିତିକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଥ୍ ଗୁଡ଼ିକରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିପାରେ ହାଇ ଭୋଲଟେଜ୍ ଟକ୍କର । କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଭିତରେ ସିଧା ଟକ୍କର ହେଉଥିଲା ବେଳେ ବାଲେଶ୍ୱରରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ, କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ ହେଉଛି ତ୍ରିମୁଖୀ ଲଢ଼େଇ ।
ସେହିପରି ଚାନ୍ଦବାଲି ବିଧାନସଭା ଆସନରୁ ଲଢୁଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗରର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ପ୍ରମିଳା ମଲ୍ଲିକ, ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି, ସୁଦାମ ମାରାଣ୍ଡି, ବିଭୁ ପ୍ରସାଦ ତରାଇ, ପ୍ରତାପ ଦେବ, ଅନନ୍ତ ପ୍ରସାଦ ସେଠୀ, ଗୀତାଞ୍ଜଳି ରାଉତରାୟ, ସଂଧ୍ୟାରାଣୀ ଦାସ, ଆକାଶ ଦାସ ନାୟକ, ଅରିନ୍ଦମ ରାୟ, ବର୍ଷା ପ୍ରିୟଦର୍ଶିନୀ ଭଳି ହେବିୱେଟ୍ ନିଜର ଭାଗ୍ୟ ପରୀକ୍ଷା କରାଇବେ।
ଏ ଭିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ତଥ୍ୟରୁ ଏହି ପର୍ଯ୍ୟାୟରେ ୯୯.୬୧ ଲକ୍ଷ୍ୟ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରେ ୫୦.୮୮ ଲକ୍ଷ୍ୟ ପୁରୁଷ ୪୮.୭୨ ଲକ୍ଷ୍ୟ ମହିଳା ଓ ୬୦୮୭ ତୃତିୟାଲିଙ୍ଗି ଭୋଟର ରହିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୫.୬୮ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୩.୫୦ ପ୍ରତିଶତ ଓ ତୃତୀୟ ପର୍ଯ୍ୟାୟରେ ୭୪.୪୫ ପ୍ରତିଶତ ଭୋଟ୍ ପଡ଼ିଛି । ତେଣୁ ଏଇ ଶେଷ ପର୍ଯ୍ୟାୟରେ ମତଦାନ ପ୍ରତିଶତ କେତେ ରହୁଛି, ଏବଂ ଏହାର ପ୍ରଭାବ ଫଳାଫଳ ଉପରେ କ’ଣ ପ୍ରଭାବ ପକାଉଛି, ଜାଣିବାକୁ ୪ ତାରିଖ ଭୋଟ୍ ଗଣତି ଦିନକୁ ଅପେକ୍ଷା ।





