ଭୁବନେଶ୍ୱର,୨୧/୬(ସତ୍ୟପାଠ ବ୍ୟୁରୋ): ଗତକାଲିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ଥିବା ମୋଦୀ ଆଜି ସେଠାର ବହୁ ଶିଳ୍ପପତି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିଛନ୍ତି। ମୋଦି ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ଅବସ୍ଥାନ କରିଥିବା ବେଳେ ସେଠାରେ ପହଞ୍ଚି ଟ୍ୱିଟର ମୁଖ୍ୟ ଏଲନ ମସ୍କ ତାଙ୍କୁ ସାକ୍ଷାତ କରିଛନ୍ତି।
ଆପଲ୍ ଏବଂ ଗୁଗୁଲ୍ ପରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ‘ଟେସଲା’କୁ ଭାରତ ଆଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ ପରେ ମସ୍କ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ନିଜକୁ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଏଥିସହ ଆସନ୍ତା ବର୍ଷ ଭାରତ ଆସିବାକୁ ବି ସେ ମନ ବଳାଇଛନ୍ତି।
ନିଜକୁ ମୋଦୀଙ୍କ ପ୍ରଶଂସକ କହିବା ସହ ମସ୍କ କହିଛନ୍ତି ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ସମ୍ଭାବନା ଭରି ରହିଛି। ମୋଦୀ ଭାରତ ପାଇଁ ବହୁତ କିଛି କରିବାକୁ ଉତ୍ସାହିତ ଅଛନ୍ତି। ସେ ବିଦେଶୀ କମ୍ପାନୀମାନଙ୍କୁ ନିବେଶ ନିମନ୍ତେ ନିଜ ଦେଶକୁ ନିମନ୍ତ୍ରଣ କରିବା ସହ ସେମାନଙ୍କ ନିମନ୍ତେ ଉଦାରବାସୀ ମନୋଭାବ ପୋଷଣ କରୁଛନ୍ତି। ତେଣୁ ମୁଁ ତାଙ୍କ ଫ୍ୟାନ୍ ପାଲଟି ଯାଇଛି ବୋଲି କହିଛନ୍ତି ।
ଟେସଲା ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ତାଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଯଥାଶୀଘ୍ର ଭାରତରେ ନିବେଶ କରିବାର ସୁଯୋଗ ଖୋଜୁଛି। ସେ କହିଛନ୍ତି ଯେ ମାନବୀୟ ସ୍ତରରେ ଯାହା ସମ୍ଭବ ତଦନୁଯାୟୀ ଆମେ ଭାରତରେ ନିବେଶ କରିବୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପରେ ଭାରତରେ ଟେସଲାର ନିବେଶ ଯୋଜନା ବିଷୟରେ ପଚରା ଯିବାରୁ ଗଣମାଧ୍ୟମକୁ ସେ କହିଥିଲେ ମୁଁ ନିଶ୍ଚିତ ଯେ ଟେସଲା ଭାରତରେ ପହଞ୍ଚିବ ଏବଂ ଏହା ମାନବୀୟ ସ୍ତରରେ ଶୀଘ୍ର ଘଟିବ। ଏହାଛଡ଼ା ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଭାରତ ଗସ୍ତ କରିପାରନ୍ତି ।
ମସ୍କ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତରେ ନିବେଶ ଯୋଜନା ନେଇ ସେ ଶୀଘ୍ର କିଛି ଘୋଷଣା କରିପାରନ୍ତି ବୋଲି ମସ୍କ କହିଛନ୍ତି । ସେ କହିଛନ୍ତି ଯେ ସୌର ଶକ୍ତି, ବ୍ୟାଟେରୀ, ବୈଦ୍ୟୁତିକ ଯାନ ସହ ସଷ୍ଟେନବଲ ଏନର୍ଜି କ୍ଷେତ୍ରରେ ଭାରତରେ ବହୁତ ସମ୍ଭାବନା ରହିଛି। ମସ୍କ ମଧ୍ୟ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳବାସୀଙ୍କୁ ଇଣ୍ଟରନେଟ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି।





