ରୋଜଗାର ମେଳା: ୭୦ ହଜାର ୧୨୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ଦିନକରେ ନିଯୁକ୍ତି ପାଇଲେ ୭୦ ହଜାର ଯୁବକ ଯୁବତୀ ।ଦେଶରେ ୭୦ ହଜାର ୧୨୬ ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଏହି କର୍ମଚାରୀ । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଷଷ୍ଠ ରୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପତ୍ର ବାଣ୍ଟିବା ସହିତ ସମସ୍ତ ନବନିଯୁକ୍ତଙ୍କୁ ଶୁଭେଚ୍ଛା ସହ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ରୋଜଗାର ମେଳା ଏନଡିଏ-ବିଜେପି ସରକାରଙ୍କ ନୂଆ ପରିଚୟ ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଷଷ୍ଠ ରୋଜଗାର ମେଳା ଦେଶର ୪୩ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ନିଯୁକ୍ତି ପାଇଥିବା ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ଅଧିନରେ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ନିଯୁକ୍ତି ପାଇଛନ୍ତି । ନୂତନ ନିଯୁକ୍ତ କର୍ମଚାରୀମାନେ ସେବା ବିଭାଗ, ଡାକ ବିଭାଗ, ଶିକ୍ଷା ଉଚ୍ଚଶିକ୍ଷା, ରାଜସ୍ବ, ସ୍ବାସ୍ଥ୍ୟ , ରେଳ ମନ୍ତ୍ରଣାଳୟ, ଆଇଟି ଏବଂ ଆକାଉଣ୍ଟାସ ବିଭାଗର ବିଭିନ୍ନ ପଦ ପଦବୀରେ ଯୋଗ ଦେବେ ।

ଦେଶରେ ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ରୋଜଗାର ମେଳାର ପରିକଳ୍ପନା କରିଛନ୍ତି । ଏହା ମାଧ୍ୟମରେ ଗୋଟିଏ ବର୍ଷରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି । ନିଯୁକ୍ତି ସୃଷ୍ଟିରେ ରୋଜଗାର ମେଳା ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିବ ଏବଂ ଯୁବକ ଯୁବତୀମାନଙ୍କୁ ସଶକ୍ତ କରିବ । ଗତ ମେ’ ୧୬ ତାରିଖରେ ଏକ ରୋଜଗାର ମେଳାରେ ୭୧ହଜାର ନିଯୁକ୍ତିପତ୍ର ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Posts