ଦୁଇ ବର୍ଷ ବନ୍ଦ ରହିବା ପରେ ଏ ବର୍ଷ ସିଟି ପାଠ୍ୟକ୍ରମରେ ହେବ ନାମଲେଖା; ପ୍ରବେଶିକା ପରୀକ୍ଷା ପାଇଁ ୩୦ ଜିଲ୍ଲାରେ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୨/୩(ସତ୍ୟପାଠ ବ୍ୟୁରୋ): ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଏଥର ପୁଣିଥରେ ନାମଲେଖା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ଲାଗି ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ସଂସ୍ଥାମାନେ ମାର୍ଚ୍ଚ ୨୨ ମଧ୍ୟରେ ଟେଣ୍ଡର ପକାଇବାକୁ କୁହାଯାଇଛି। ଏଥର ପାଖାପାଖି ୧ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷାରେ ସାମିଲ ହେବାର ସମ୍ଭାବନା ରହିଛି। ତାହାକୁ ନଜରରେ ରଖି ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ପରୀକ୍ଷା ଲାଗି ଇଂରାଜୀ, ଓଡ଼ିଆ, ହିନ୍ଦୀ, ତେଲଗୁ, ଉର୍ଦ୍ଦ୍ବ, ସାନ୍ତାଳି ଭାଷାରେ ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରସ୍ତୁତ କରାଯିବ। ମାତ୍ର ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଧାର୍ଯ୍ୟ ସମୟରେ କିଭଳି ନାମଲେଖା ହେବ ସେଥିପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି। ସଂସ୍ଥା କେବଳ ପରୀକ୍ଷା ପରିଚାଳନା କରିବାକୁ ଥିବା ବେଳେ ଟିଇ ଆଣ୍ଡ ଏସ୍‌ସିଇଆରଟି ପକ୍ଷରୁ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ, ପିଲାଙ୍କୁ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍‌ କରିବା, ଅନ୍‌ଲାଇନ୍‌ ଆଡମିଟ୍‌ କାର୍ଡ ଉପଲବ୍ଧ କରାଇବା, ପରୀକ୍ଷାର୍ଥୀଙ୍କ ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ପ୍ରଦାନ କରାଯିବ। ପରୀକ୍ଷାର ୧୫ ଦିନ ଆଗରୁ ପରୀକ୍ଷାର୍ଥୀଙ୍କ ମକ୍‌ଟେଷ୍ଟ ପାଇଁ ସମ୍ପୃକ୍ତ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଲିଙ୍କ୍‌ ବ୍ୟବସ୍ଥା କରିବ। ପରୀକ୍ଷାର୍ଥୀଙ୍କୁ ୯୦ ମିନିଟ୍‌ରେ ୯୦ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହାକି ଏମ୍‌ସିକ୍ୟୁ ଆକରରେ ଉପଲବ୍ଧ ରହିବ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୨୦ ମିନିଟ୍‌ ସମୟ ଦିଆଯିବ। ପରୀକ୍ଷା ପରିଚାଳନାରେ କେତେ ସଂଖ୍ୟକ ଲୋକ ରହିବେ ସେନେଇ ନିର୍ଦ୍ଦେଶାଳୟ ପକ୍ଷରୁ ଧାର୍ଯ୍ୟ ହୋଇଛି। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସିବିଟି ବିଷୟରେ ସଚେତନ କରାଯିବ।‌

ସୂଚନାଯୋଗ୍ୟ ଯେ, ଶେଷ ଥର ଲାଗି ୨୦୨୦-୨୧ ଶିକ୍ଷାବର୍ଷରେ ଡିଇଏଲ୍‌ଇଡି ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏହାପର ଦୁଇ ବର୍ଷ ହେଲା ନାମଲେଖା ହୋଇପାରି ନାହିଁ। ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ମୋଟ ୨୬ଟି ସରକାରୀ ଡିଇଏଲ୍‌ଇଡି ଶିକ୍ଷାନୁଷ୍ଠାନର ଶହେ ଲେଖାଏ ସିଟ୍‌ରେ ନାମଲେଖା ଲାଗି ସ୍ଥିର ହୋଇଥିଲା। ମାତ୍ର ରାଜ୍ୟରେ ବହୁ ସଂଖ୍ୟକ ଡିଇଏଲ୍‌ଇଡି ତାଲିମପ୍ରାପ୍ତ ବେକାର ରହିଥିବାରୁ ଆଉ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ତାଲିମ ନ ଦେବାକୁ ଗଣଶିକ୍ଷା ବିଭାଗ ନାମଲେଖା ନ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥର ପୁଣିଥରେ ନାମଲେଖା ନେଇ ବିଭାଗ ଅଣ୍ଟା ଭିଡ଼ିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ରାଜ୍ୟରେ ୩୦ଟି ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ(ଡିଆଇଇଟି), ୪ଟି ବ୍ଲକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ(ବିଆଇଇଟି) ଓ ୩୧ଟି ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ(ଇଟିଇଆଇ)ରେ ପାଖାପାଖି ୬୫୦୦ ସିଟ୍‌ ରହିଛି।

Related Posts