ବିଜେଡି-ବିଜେପି ମେଣ୍ଟର ଫାଇଦା ନେବାକୁ ଆପ୍ ର ଏଣ୍ଟ୍ରି; ଓଡ଼ିଶାରେ ପହଂଚିଲେ ସୌରଭ ଭରଦ୍ୱାଜ, ବିରେନ୍ଦର ସିଂ କାଡିଆନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ | ରାଜ୍ୟର ଶାସକ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେଲେ ମେଣ୍ଟ ବିରୋଧରେ ଥିବା ଭୋଟ ର ଫାଇଦା କିଏ ନେବ ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହେଲାଣି | ତୃତୀୟ ଦଳ ଭାବେ କଂଗ୍ରେସ ରାଜ୍ୟରେ ଅଛି ହେଲେ, ତୃଣମୂଳ ସ୍ତରରେ ଦଳର ବର୍ତ୍ତମାନର ସ୍ଥିତି ଆଉ ରାଜ୍ୟର ନେତୃତ୍ୱକୁ ଦେଖିଲେ ଲାଗୁନାହିଁ ଯେ, ବିଜେଡି ବିଜେପି ମେଣ୍ଟର ଫାଇଦା ଦଳ ନେଇ ପାରିବ | ଏଭଳି ସ୍ଥଳରେ ଓଡିଶା ରାଜନୀତି ପ୍ରତି ଆଗ୍ରହ ଦେଖାଇଛି ଆମ ଆଦମୀ ପାର୍ଟି | ବିଜେଡି ବିଜେପି ମେଣ୍ଟ ବିରୋଧରେ ଥିବା ଶକ୍ତିମାନଙ୍କୁ ଏକାଠି କରି ରାଜ୍ୟର ପାୱାର କରିଡରରେ ଏଣ୍ଟ୍ରି ମାରିବାକୁ ଦଳ ରଣନୀତି ଆରମ୍ଭ କରିଛି |

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଓଡ଼ିଶାର ରାଜନୈତିକ ସ୍ଥିତି ଉପରେ ନଜର ରହିଛି ବୋଲି ଗତକାଲି ଦଳର ସଂଗଠନ ସମ୍ପାଦକ ସଂଦୀପ ପାଠକ ସୂଚନା ଦେଇଥିଲେ | ଏଥିସହିତ ଦଳ ପକ୍ଷରୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜ ଓ ଓଡିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନଙ୍କୁ ଓଡିଶା ପଠାଯାଇଥିବା ନେଇ ଟ୍ୱିଟ କରି ସେ ସୂଚନା ଦେଇଥିଲେ | ଆଉ ଆଜି ଓଡ଼ିଶାରେ ପହଂଚିଛନ୍ତି ସୌରଭ ଭରଦ୍ୱାଜ ଓ ବିରେନ୍ଦର ସିଂ କାଡିଆନ | ଉଭୟ ନେତା ଓଡିଶାରେ ପହଂଚିବା ପରେ ଓଡିଶା ରାଜନୀତି ଉପରେ ଆମ ଆଦମୀ ପାର୍ଟି ସମ୍ପୂର୍ଣ ନଜର ରଖିଛି ଓ ବିଜେଡି, ବିଜେପି ବିରୋଧରେ ରାଜ୍ୟର ମଙ୍ଗଳ ପାଇଁ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସୌରଭ ଭରଦ୍ୱାଜ |

ତେବେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଲେ ଉଭୟ ଦଳରୁ ଟିକେଟ ଆଶାୟୀ ଥିବା ଅନେକ ନେତା ଦଳ ଛାଡିପାରନ୍ତି ବୋଲି କୁହାଯାଉଛି | ଏଭଳି ସ୍ଥଳେ କଂଗ୍ରେସକୁ ଭରସା ନକରି ସେମାନେ ସ୍ୱାଧୀନ ଭାବେ ମଧ୍ୟ ନିର୍ବାଚନ ଲଢ଼ି ପାରନ୍ତି | ସେହି ଅସନ୍ତୁଷ୍ଟ ନେତା ମାନଙ୍କୁ ଏବେ ଆମ ଆଦମୀ ପାର୍ଟି ନିଜ ସପକ୍ଷକୁ ନେଇ ନିର୍ବାଚନୀ ମୈଦାନକୁ ଓଲ୍ହାଇବ ବୋଲି ରଣନୀତି କରୁଥିବା କୁହାଯାଉଛି | ଏଭଳି ସ୍ଥିତିରେ ଆପ ବିଜେଡି-ବିଜେପି ମେଣ୍ଟର କେତେ ଫାଇଦା ନେଉଛି ତାହା ଦେଖିବାକୁ ବାକି ରହିଲା |

Related Posts