ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ସତର୍କ କରାଇଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ହେଲେ ଧ୍ୟାନ ଦେଇନଥିଲା ରାଜ୍ୟ ପୋଲିସ। ଯାହା ଫଳରେ ସମ୍ବଲପୁରରେ ଘଟିଯାଇଛି ହିଂସାକାଣ୍ଡ। ହନୁମାନ ଜୟନ୍ତୀ ଶୋଭାଯାତ୍ରା ଦେଖିବାକୁ ଆସିଥିବା ବେଳେ ଜଣେ ଯୁବକଙ୍କୁ ମର୍ମନ୍ତୁଦ ହତ୍ୟା ଘଟଣା ପରେ ସମ୍ବଲପୁର ସହରରେ ସୁରକ୍ଷା ବ୍ୟବସ୍ତାକୁ କଡା କରିଛି ପ୍ରଶାସନ। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି। ହେଲେ ଏହି ହିଂସାକାଣ୍ଡ ପୋଲିସର ଅପାରଗତା ଉପରେ ବଡ ପ୍ରଶ୍ନ ଚିହ୍ନ ଲଗାଇଛି। ପୋଲିସ କେନ୍ଦ୍ର ଗୃହ ମନ୍ତ୍ରାଳୟର ଆଡ଼ଭାଇଜରିକୁ ଅଣଦେଖା କରିଥିବାର ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ହନୁମାନ ଜୟନ୍ତୀରେ ସମ୍ଭାବ୍ୟ ହିଂସା ଓ ସୁରକ୍ଷା ବାବଦରେ ସତର୍କ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସଂପୂର୍ଣ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିହାର, ପଶ୍ଚିମବଙ୍ଗରେ ରାମନବମୀ ହିଂସା ପରେ ଗୃହ ମନ୍ତ୍ରାଳୟ ସବୁ ରାଜ୍ୟକୁ ଆଗୁଆ ସତର୍କ କରିଥିଲା। ତେବେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ମାନିଥିଲେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ଏଡାଯାଇ ପାରିଥାନ୍ତା ନା ନାହିଁ ? ଏବେ ଏହି ପ୍ରଶ୍ନ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ଓ ଗୃହ ବିଭାଗର ମନ୍ତ୍ରୀଙ୍କୁ ଅଡୁଆରେ ପକାଇଛି।
ଗୋଟିଏ ପଟେ ସମ୍ବଲପୁର ପୁଲିସର ଏତଲାକୁ ଦେଖି ଗୁଇନ୍ଦା ବିଭାଗର ବିଫଳତାକୁ ନେଇ ଅଙ୍ଗୁଳି ଉଠୁଥିବା ବେଳେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଡଭାଇଜରି ରାଜ୍ୟ ପୁଲିସ ପ୍ରଶାସନକୁ ଆହୁରି ଅଡୁଆରେ ପକାଇଛି। ଗତ ୫ ଏପ୍ରିଲରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ସତର୍କ କଲା ପରେ ବି କାହିଁକି ଆଗୁଆ ରାଜ୍ୟ ସରକାର ପଦକ୍ଷେପ ନେଲେ ନି ବୋଲି ପ୍ରଶ୍ନ ଉଠିଛି। ବିରୋଧୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ପୋଲିସ ଓ ଗୁଇନ୍ଦା ବିଭାଗ ର ଅପାରଗତା ପାଇଁ ଆଜି ସମ୍ବଲପୁର ଅଶାନ୍ତ ହୋଇ ପଡିଛି ।
ଗତ ୫ ତାରିଖରେ ହନୁମାନ ଜୟନ୍ତୀ ପାଇଁ ସବୁ ରାଜ୍ୟକୁ ସତର୍କ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏପରିକି ନିଜେ ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଏଥିପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ରାମ ନବମୀ ଶୋଭାଯାତ୍ରାରେ ପଶ୍ଚିମବଙ୍ଗ, ବିହାର ସମେତ ଅନେକ ରାଜ୍ୟରେ ହିଂସା ଉପୁଜୁଥିଲା, ତେଣୁ ହନୁମାନ ଜୟନ୍ତୀ ପାଇଁ ଆଗୁଆ ସର୍ତକତା କରାଇଥିଲା ଗୃହ ମନ୍ତ୍ରାଳୟ । କୌଣସି ରାଜ୍ୟରେ ଯେଭଳି ସାମ୍ପ୍ରଦିକ ହିଂସା ନ ହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ହନୁମାନ ଜୟନ୍ତୀ କୁ ଶାନ୍ତିପୂର୍ଣ୍ଣ ପାଳନ ସହ କୌଣସି ସାମ୍ପ୍ରଦାୟିକ ସଦଭାବନା ଯେପରି କ୍ଷୁର୍ଣ୍ଣ ନ ହୁଏ, ତାହା ଉପରେ ନଜର ରଖିବାକୁ ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲା। ଏହା ସତ୍ତ୍ବେ ବି ସମ୍ବଲପୁରରେ ହିଂସା ରୋକିବାରେ ସଂପୂର୍ଣ ବିଫଳ ହେଲା ଜିଲ୍ଲା ପୁଲିସ । ସେହିପରି ଗତ ୫ ତାରିଖ ସମ୍ବଲପୁର DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ପ୍ରସ୍ତାବକୁ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନରେ ପୋଲିସ ବିଫଳ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣା ଦିନ ମୋତିଜିରା ଅଞ୍ଚଳରେ ମାତ୍ର ଜଣେ ଇନ୍ସପେକ୍ଟର ଡି କେ ସ୍ୱାଇଁ, ସବ-ଇନ୍ସପେକ୍ଟର ଧର୍ମେନ୍ଦ୍ର ଭୋଇ ଓ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ମୁତୟନ ନେଇ ପ୍ରଶ୍ନ ଉଠାଇଛି ହନୁମାନ ଜୟନ୍ତୀ ସମନ୍ୱୟ ସମିତି ।
ଗୋଟିଏ ପଟେ ବାଇକ ଶୋଭାଯାତ୍ରାରେ ଏକ ହଜାର ଲୋକ ସାମିଲ ଥିବା ବେଳେ ମୋତିଜିରୋ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୋଜନାବଦ୍ଧ ଭାବେ ୨୦୦ ଲୋକ ରୁଣ୍ଡ ହୋଇ ମରଣାତ୍ମକ ଆକ୍ରମଣ କରିବା ଘଟଣା ସମ୍ବଲପୁର ପୋଲିସ ଗୁଇନ୍ଦା ବିଫଳତା ସାମ୍ନାକୁ ଆସିଛି । ସଂଘବଧ ଆକ୍ରମଣ ନେଇ ଏକ ନିର୍ଦିଷ୍ଟ ସଂପ୍ରଦାୟର ଏତେ ବଡ଼ ପୂର୍ବ ପ୍ରସ୍ତୁତି ବାବଦରେ ସମ୍ବଲପୁର ପୁଲିସ ସୁରାକ କିଭଳି ପାଇଲାନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କାହିଁକି ଉକ୍ତ ସମ୍ବେଦନଶୀଳ ଅଞ୍ଚଳରେ ମାତ୍ର ୧୩ ଜଣ ପୋଲିସକୁ ଆଇନ ଶୃଙ୍ଖଳା ପାଇଁ ମୁତୟନ କରାଯାଇଥିଲା । ସମ୍ବେଦନଶୀଳ ଅଞ୍ଚଳ ଗଣ୍ଡଗୋଳ ଆଶଙ୍କା ନେଇ ପୋଲିସ କୁ ପୂର୍ବରୁ ସୁଚନା ଥିବା କଥା ପ୍ରଶାସନ କହୁଥିବା ବେଳେ କାହିଁକି ପର୍ଯ୍ୟାପ୍ତ ପୋଲିସ ଫୋର୍ସ ସହ ରାପିଡ ଆକ୍ସନ ଫୋର୍ସ (RAF) ମୁତୟନ କରାଗଲା ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ଉଭା ହୋଇଛି।





