ଏଣିକି ଯାତ୍ରା, ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତା ମନା; ଜାରି ହେଲା ନିର୍ଦ୍ଦେଶାନାମା

ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ଏଣିକି ଆଉ ଯାତ୍ରାରେ ଦେଖିବାକୁ ମିଳିବନି ଅଶ୍ଳୀଳତା। ଆଉ ଶୁଣିବାକୁ ମିଳିବନି ଦ୍ୱିଅର୍ଥବୋଧକ ସଂଳାପ । ଏଣିକି ମାର୍ଜିତ ହେବ କଳାକାରଙ୍କ ଅଭିନୟ । ଏପରିକି ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ ମଧ୍ୟ ଅଶ୍ଳୀଳ ନୃତ୍ୟ ଓ ଅଶ୍ଳୀଳ ଦୃଶ୍ୟ ଉପରେ ଲାଗିବ କଟକଣା । କଳାକାରଙ୍କୁ ଓଡ଼ିଶାର ସଂସ୍କୃତିକୁ ସମ୍ମାନ ଦେବାକୁ ପଡିବ। ଆଉ ଏହି ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର ।

ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଚିଠି କରାଯାଇ ଏହି ନିୟମକୁ କଡାକଡି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ । ହେଲେ ଏବେ ଏଥିରେ ଅଶ୍ଳୀଳତା ବେଶି ଦେଖିବାକୁ ମିଳୁଛି । ଯାତ୍ରା ଓ ମେଲୋଡିରେ ବିଶେଷକରି ଅଙ୍ଗଭଙ୍ଗି, ପୋଷାକ, ଦ୍ୱିଅର୍ଥବୋଧକ ସଂଳାପ ଯୋଗୁ ଏହାକୁ ପରିବାର ସହ ଦେଖିବା ସମ୍ଭବ ହେଉନାହିଁ । ଏହା ଖାଲି ଆମ ସାମାଜିକ ପରମ୍ପରାରେ ଖରାପ ପ୍ରଭାବ ପକାଉ ନାହିଁ ବରଂ ଯୁବ ସମାଜକୁ ବିପଥଗାମୀ କରୁଛି । ତେଣୁ ଯାତ୍ରା ମେଲୋଡିରେ ଅଶ୍ଳୀଳ ନୃତ୍ୟ ଏବଂ ନଗ୍ନତାକୁ ବନ୍ଦ କରିବା ପାଇଁ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି, ଜିଲ୍ଲାରେ ପରିବେଷଣ କରାଯାଉଥିବା ଯାତ୍ରା ମେଲୋଡି ଦଳଙ୍କୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳୀରେ ଏହି ନିୟମ ସ୍ପଷ୍ଟ ଉଲ୍ଲେଖ ରହିବ ଏବଂ ଏହାକୁ ନ ମାନିଲେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଏ ନେଇ ପ୍ରମୁଖ ଯାତ୍ରା ପାର୍ଟି ଗୁଡିକୁ ମଧ୍ୟ ସୂଚିତ କରାଯାଇଛି । ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Related Posts