ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଏହାପରେ ଆସନ୍ତାକାଲି ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ଅନ୍ୟପକ୍ଷରେ ନୀତିକାନ୍ତିରେ ବିଶୃଙ୍ଖଳା ଓ ସନ୍ଧ୍ୟା ଦର୍ଶନ ଗହଳିକୁ ଦୃଷ୍ଟିରେ ସୋମବାର ଅପରାହ୍ନରୁ ଭକ୍ତଙ୍କ ଗର୍ଭଗୃହ ଦର୍ଶନକୁ ବନ୍ଦ କରି ଦିଆଯାଇଥିଲା।
ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବା ସହିତ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାରଦେଇ ବାହାରିବେ। ଭକ୍ତମାନେ ମଙ୍ଗଳବାର ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ କରିପାରିବେ। ୫ଟାରୁ ଦର୍ଶନ ବନ୍ଦ କରି ବାହୁଡ଼ା ପହଣ୍ଡି ପ୍ରସ୍ତୁତି ଆରମ୍ଭ ହେବ। କିନ୍ତୁ, ଆଡ଼ପ ଅବଢ଼ା ରାତି ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାରଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ରବିବାର ତିନିରଥର ଦକ୍ଷିଣ ମୋଡ଼ ନୀତି ଥିଲେ ବି ଅସୁବିଧା ଯୋଗୁ ନନ୍ଦିଘୋଷ ରଥ ଶରଧାବାଲି ଯାଇ ପାରିନଥିଲା। କେବଳ ଦର୍ପଦଳନ ଓ ତାଳଧ୍ବଜ ରଥ ଶରଧାବାଲିରେ ଦକ୍ଷିଣ ମୋଡ଼ ନେଇ ରହିଥିଲେ। ସୋମବାର ନନ୍ଦିଘୋଷ ରଥକୁ ଶରଧାବାଲିରେ ଦକ୍ଷିଣମୋଡ଼ କରି ରଖାଯାଇଛି। ସେହିପରି, ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୪ଟାରେ ଦ୍ୱାରଫିଟା ହୋଇ ସକାଳ ୭ଟାରେ ଦର୍ଶନ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ଭକ୍ତଙ୍କ ଦର୍ଶନ ବନ୍ଦପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ।





