ମହଙ୍ଗା ପଡିଲା ମୋକିମ ଓ ଚିରଞ୍ଜୀବଙ୍କ ସପକ୍ଷରେ ବାହାରିବା: ଦଳରୁ ବିଦା ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି ବିରୋଧରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଅଭିଯୋଗରେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ନେଇ ସୂଚନା ଦେଇଛନ୍ତି। ଶୁକ୍ରବାର ଶ୍ରୀ ସାଲୁଜାଙ୍କ ସରକାରୀ ଆବାସରେ ହୋଇଥିବା ଶୃଙ୍ଖଳା କମିଟି ବୈଠକରେ ଦଳ ଏଭଳି ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ପିସିସି ଶୃଙ୍ଖଳା କମିଟି ବୈଠକ ବସିଥିଲା। ନାରାୟଣ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏହି ବୈଠକରେ ଦର୍ଶଯାଇଥିଲା। ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପରେ ସେମାନଙ୍କ ସପକ୍ଷରେ ବାହାରିବା ସହିତ ପ୍ରେସମିଟ୍ କରି ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ ନାରାୟଣ ଜେନା । କଂଗ୍ରେସ ଓ ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ ସେ ଖୋଲାଖୋଲି କଟୁ ମନ୍ତବ୍ୟ ଦେଇଥିଲେ । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଶୃଙ୍ଖଳା କମିଟି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ବହିଷ୍କାର ପରେ ଏନେଇ ନାରାୟଣ ଜେନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Posts