ବଢ଼ିଲା ଗ୍ରୀଷ୍ମ ଛୁଟି, ୧୯ ପରିବର୍ତ୍ତେ ୨୧ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢ଼ିଲା ଗ୍ରୀଷ୍ମ ଛୁଟି । ଆଉ ଦୁଇ ଦିନ ଗ୍ରୀଷ୍ମ ଛୁଟି ବଢ଼ା ଯାଇଛି । ୧୯ ତାରିଖ ପରିବର୍ତ୍ତେ ୨୧ରେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ । ଏନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଚଳିତବର୍ଷ ଆଗୁଆ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ ଟା ସମୟରେ ଅନେକ ଜିଲ୍ଲାରେ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହୁଛି । ବାହାରକୁ ବାହାରିବା ଏକ ପ୍ରକାର ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ପିଲାଙ୍କ ସ୍କୁଲ ଖୋଲିବା ସରକାରଙ୍କ ପାଇଁ ଚିନ୍ତା ପାଲଟିଥିଲା । ତେଣୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏନେଇ ଆଉ ଦୁଇ ଦିନ ଗ୍ରୀଷ୍ମ ଛୁଟି ବଢାଇଛନ୍ତି । ତେବେ ଗତ ଏପ୍ରିଲ ୨୧ ତାରିଖ ଠାରୁ ପ୍ରଥମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ରହିଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ଖରା ଛୁଟି କରାଯାଇଥିଲା । ମେ’ ମାସ ୫ ତାରିଖରେ ଖରା ଛୁଟି ନେଇ ଏକାଡେମୀ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିଲା । ଏପ୍ରିଲ ମାସର ଶେଷ ଆଡକୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ବାରମ୍ବାର ସ୍କୁଲ ଛୁଟି ହେବା ଏବଂ ଖୋଲିବା ପରି ପରିସ୍ଥିତି ଉପୁଜିଥିଲା । ଯାହା ଫଳରେ ଏପ୍ରିଲ ୨୧ ତାରିଖରେ ସମ୍ପୂର୍ଣ୍ଣ ଭାବରେ ଖରା ଛୁଟି ଘୋଷଣା କରାଯାଇଥିଲା ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବା ପାଇଁ ପ୍ରଥମ ଥର ପ୍ରାଥମିକ ସ୍ତରରୁ ମାଧ୍ୟମିକ ସ୍ତରର ପିଲାମାନଙ୍କ ପାଇଁ “ଅବକାଶ ପାଠପଢା’ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କର ଅଭିଭାବକ ମାନଙ୍କର ସହାୟତାରେ ଏହି କ୍ଲାସ ଗୁଡ଼ିକୁ ସମ୍ପାଦନ କରାଯାଇଥିଲା । ଯାହାଫଳରେ ପିଲାମାନେ ଖରା ଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ଯୋଡ଼ି ହୋଇ ରହିବେ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ସ୍ତରରେ ହେଲ୍ପ ଡେସ୍କର ପ୍ରଚଳନ କରିବା ସହ ଏକ ଅଭିନବ ପଦକ୍ଷେପ ହାତକୁ ନେଇଥିଲେ ରାଜ୍ୟ ସରକାର । ଏଥିରେ ବିଶେଷ କରି ସାଇବର ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦିଆଯାଇଛି । ଏନେଇ ଅଭିଭାବକଙ୍କୁ ସଚେତନ କରାଯିବ । ଏହି ସମ୍ବନ୍ଧୀୟ ତଥ୍ୟ ରାଜ୍ୟ ୟୁନିସେଫ କାର୍ଯ୍ୟାଳୟ ଓ ସାଇବର ଅପରାଧ ୟୁନିଟ, ସିଆଇଡି କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପୋଲିସ ବିଭାଗର ସହାୟତାରେ ପ୍ରସ୍ତୁତ କରାଯାଇଛି ।

Related Posts