ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ରାଜ୍ୟରେ ଥିବା ନକଲି ଡାକ୍ତରଙ୍କୁ ଧରପଗଡ଼ ପାଇଁ ଅଭିଯାନକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସବୁ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ଏନେଇ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ମାର୍ଚ୍ଚ ୧୦ ସୁଦ୍ଧା ନିଜ ନିଜ ସାର୍ଟିଫିକେଟ ଜମା କରିବାକୁ ରାଜ୍ୟର ସମସ୍ତ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ ସହିତ ଡିଗ୍ରୀ, ପିଜି ଓ ସୁପର ସ୍ପେଶିଆଲାଇଜେସନ ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ରହିଛି। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାର ଏଲୋପାଥି ଡାକ୍ତରମାନେ ମାର୍ଚ୍ଚ ୧୦ ସୁଦ୍ଧା ନିଜ ଅଥରିଟିଙ୍କ ନିକଟରେ ସାର୍ଟିଫିକେଟ ଜମା କରିବେ। ପରେ ବିଶେଷଜ୍ଞଙ୍କ ଦ୍ୱାରା ଏହାର ତର୍ଜମା କରାଯିବ।
ଏହାପରେ ଡିଏମଇଟି ଓଡ଼ିଶା ଏକ କନସୋଲିଡେଟେଡ୍ ରିପୋର୍ଟ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶା କାଉନସିଲ ଅଫ ମେଡ଼ିକାଲ୍ ରେଜିଷ୍ଟ୍ରେସନ୍ ନିକଟରେ ଜମା କରିବେ। ସାର୍ଟିଫିକେଟ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ବା କିଛି ତ୍ରୁଟି ଥିଲେ ଓମଏସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବହୁ ସଂଖ୍ୟକ ନକଲି ଡାକ୍ତର ଥିବା ଅଭିଯୋଗ ଆସିଥିଲା। ଏହାପରେ ରାଜ୍ୟର ଡାକ୍ତରମାନଙ୍କ ଶିକ୍ଷଗତ ଯୋଗ୍ୟତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ନିର୍ଦ୍ଦେଶ ମୁତାବକ ଏବେ ସ୍ୱାସ୍ଥ୍ୟ ବିଭାଗ ଏହି ପ୍ରକ୍ରିୟା ଆରମ୍ଭ କରିଛି।





