ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବନିର୍ମାଣ କୃଷକ ସଙ୍ଗଠନର ଡାକରାରେ ମଙ୍ଗଳବାର ହଜାର ହଜାର ଚାଷୀ ଭୁବନେଶ୍ବର ଅଭିମୁଖେ ଆସିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ଭୁବନେଶ୍ବର ସହରକୁ ଧସେଇ ପଶିବା ବେଳେ ହଂସପାଳରେ ପୁଲିସ ଅଟକାଇବାରୁ ଚାଷୀ-ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆଗକୁ ଯାଇନପାରି ହଂସପାଳ-ବାଲିଅନ୍ତା ନଦୀବନ୍ଧ ରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି।
୨୧ ପ୍ଲାଟୁନ୍ ପୁଲିସ ଫୋର୍ସ ଚାଷୀଙ୍କୁ ଘେରି ରହିଛନ୍ତି। ସରକାରଙ୍କୁ ଭେଟିବାକୁ ଏକ ପ୍ରତିନିଧି ଦଳ ଯିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ସଙ୍ଗଠନ। ଯେପର୍ଯ୍ୟନ୍ତ କୃଷିମନ୍ତ୍ରୀ, ସଚିବ ଚାଷୀଙ୍କ ନିକଟକୁ ନଆସିବେ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା ହୋଇଛି। ତେବେ ରାଜ୍ୟର ବିଜେଡି ସରକାର ବିରୋଧରେ ବିଭିନ୍ନ ନାରା ଦେବା ସହ ଉପ ନିର୍ବାଚନରେ ବିଜେଡିକୁ ହରାଇବାକୁ ଧାମନଗର ଯିବୁ ବୋଲି ଘୋଷଣା କରିଛନ୍ତି ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର।
ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ଗତ ୧୩ ତାରିଖଠାରୁ ଯାଜପୁର ଧାନମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା ସୋମବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ହାଟପଡ଼ିଆରେ ଆସି ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ୨୪ ଦଫା ଦାବି ସମ୍ବଳିତ ଦାବିପତ୍ର ଦେବାକୁ ଗତକାଲି ସକାଳ ୧୦ଟାରୁ ବାହାରିଥିଲେ ଚାଷୀ।
ଅନ୍ୟପଟେ ଦୂରଦୂରାନ୍ତରୁ ଆସୁଥିବା ଚାଷୀ କିପରି ସଭାସ୍ଥଳକୁ ଯାଇନପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଥିଲା କମିସନରେଟ୍ ପୁଲିସ। ସହରରେ ହାଇ ଆଲର୍ଟ ଜାରି ହୋଇଥିଲା। ହଂସପାଳରୁ ନବୀନ ନିବାସ ଯାଏ ୨୧ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଥିଲେ। ପୁଲିସ ଚାଷୀଙ୍କୁ ବିଭିନ୍ନ ଜାଗାରେ ଅଟକାଇଥିଲା। ଶେଷରେ ବ୍ୟାରିକେଡ୍ କରି ହଂସପାଳ ବ୍ରିଜ୍ ନିକଟରେ ଚାଷୀଙ୍କୁ ଆଗକୁ ଯିବାକୁ ଦିଆଯାଇନଥିଲା। ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିନଥିଲା।
ଏକ ପ୍ରତିନିଧି ଦଳ ସରକାରଙ୍କ ସହ ଆଲୋଚନା କରିବାକୁ ଡିସିପି ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି। ଯେ, ଲୋକ ପ୍ରତିନିଧିମାନେ ଚାଷୀମାନଙ୍କ ଗହଣକୁ ନଆସିବା ଅତ୍ୟନ୍ତ ଉଦ୍ବେଗଜନକ ଓ ଲଜ୍ଜାଜନକ। ଲୋକ ପ୍ରତିନିଧି ଚାଷୀମାନଙ୍କୁ ଉପେକ୍ଷା କରିବା ଚାଷୀଙ୍କ ଭିତରେ ଦୁଃଖ କ୍ରୋଧ ସୃଷ୍ଟି କରିଛି। ଯେ ପର୍ଯ୍ୟନ୍ତ ସରକାର ଚାଷୀଙ୍କ ନିକଟକୁ ଆଲୋଚନା ପାଇଁ ନଆସିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ। ୨୦୧୮ ଅକ୍ଟୋବରରେ ଲକ୍ଷେ ଚାଷୀଙ୍କ ପଦଯାତ୍ରା ଓ ସତ୍ୟାଗ୍ରହ ପରେ ସରକାର ବାଧ୍ୟ ହୋଇ ଚାଷୀଙ୍କ ପେନସନ୍ ବାବଦରେ ବିଜ୍ଞପ୍ତି ଜାରି କଲେ। କିନ୍ତୁ ନିର୍ବାଚନ ସମୟରେ ଚାଷୀ ସୁରକ୍ଷା ଭତ୍ତାକୁ ଏଡ଼ାଇ କାଳିଆ ଯୋଜନା ନାଁରେ ଭଣ୍ଡେଇଦେଲେ। ସର୍ବନିମ୍ନ ସୁରକ୍ଷା ଭତ୍ତା ବାବଦରେ ୩୬ ଲକ୍ଷ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି, ୨୩ଟି ଫସଲର ଏମ୍ଏସ୍ପି ଧାର୍ଯ୍ୟ, ଦୁଗ୍ଧ ଲିଟରକୁ ୬୦ ଟଙ୍କା ଧାର୍ଯ୍ୟ କରିବା, ଚାଷର ଭିତ୍ତିଭୂମିର ବିକାଶ ଆଦି ୨୪ଦଫା ଦାବି ରଖିଥିଲେ ଅକ୍ଷୟ କୁମାର।
ସେ ଆହୁରି କହିଛନ୍ତି ଯେ, ଛତିଶଗଡ଼ ସରକାର ଧାନରେ ୬ ଶହ ଟଙ୍କା ବୋନସ୍ ଦେଉଥିବା ବେଳେ କାହିଁକି ଓଡ଼ିଶା ସରକାର ଚାଷୀଙ୍କୁ ହତାଦର କରୁଛନ୍ତି। ବିଜେଡି ସରକାରର ଚାଷୀଙ୍କୁ ଅବହେଳା ଓ ଦମନ ଲୀଳା ଆଉ ଚଳିବ ନାହିଁ। ସଙ୍ଗଠନର ହଜାର ହଜାର ଚାଷୀ ଧାମନଗର ଉପନିର୍ବାଚନ ଯାଇ ‘ନୋ ଭୋଟ ଫର ବିଜେଡି’ ଆହ୍ବାନ ଦେବେ। ସରକାରଙ୍କ ବିରୋଧେର ସଙ୍ଗଠିତ ଚାଷୀଙ୍କ ଜନଯାତ୍ରା ୨୦୨୪ ମସିହାରେ ଅଧିକ ଶାଣିତ ହେବ। ୨୦୨୪ରେ ଜନମତ ସଙ୍ଗଠିତ କରି ବିଜେଡି ସରକାରକୁ ପରାଜିତ କରିବୁ ବୋଲି ସେ କହିଛନ୍ତି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି, ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କଲାବେଳେ ଚାଷୀ ଭତ୍ତା ପାସୋରି ଯାଉଛନ୍ତି। ସରକାରୀ କର୍ମଚାରୀଙ୍କ ସମସ୍ତ ଦାବି ସରକାର ମାନି ନେଉଥିଲା ବେଳେ ଚାଷୀଙ୍କ କୌଣସି ଦାବିକୁ ଗୁରୁତ୍ବ ଦେଉନାହାନ୍ତି। ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଭ୍ୟ ପ୍ରସନ୍ନ କୁଅଁର, ଦେବୀ ପ୍ରସାଦ ମହାରଣା ବକ୍ତବ୍ୟ ରଖିଥିଲେ। ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ନିମାଇଁ ରାୟ ଆନ୍ଦୋଳନ ପରିଚାଳନା କରିଥିଲେ। ଲକ୍ଷ୍ମୀଧର ପ୍ରଧାନ, ଛାତ୍ରନେତା ଇଜୁ ଆମିନ ଖାନ, ସତ୍ୟ ନାୟକ, ଦୀନେଶ ଦାସ, ସୁରଜ ଚନ୍ଦ୍ର ମାନସିଂ, ରମାକାନ୍ତ ମଣ୍ଡଳ, କୁନ୍ତଳା ଗୁରୁ, ମୀନା ସାହୁ, ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନ୍ୱର୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆନ୍ଦୋଳନ ପାଇଁ ଦିନ ସାରା ପଳାସୁଣି ଛକରୁ ରସୁଲଗଡ଼ ଟ୍ରାଫିକ୍ ଜାମ୍ ରହିଥିବା ଦେଖିବାକୁ ମିଳିଥିଲା।





