ଖନ୍ତାପଡ଼ା:ମଣ୍ଡିରେ ଚାଷୀଙ୍କ ଧାନ ପଡ଼ିରହିଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ଧାନ ଭିଜି ନଷ୍ଟ ହେବା ଘଟଣା ଖନ୍ତାପଡ଼ା ଅଞ୍ଚଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।ପଣପଣା ପଞ୍ଚାୟତ ସେବା ସମବାୟ ସମିତି ଅଧୀନରେ ଥିବା ମଣ୍ଡିରେ ଅନେକ ଚାଷୀଙ୍କ ଧାନ ଦୀର୍ଘଦିନ ଧରି ଉଠାଯାଇନଥିବାରୁ ଗତ ଶୁକ୍ରବାର ରାତିରେ ହୋଇଥିବା ବର୍ଷାରେ ଧାନ ଭିଜି ଗଳିଯାଇଛି। ସମୟରେ ମିଲରମାନେ ଗାଡ଼ି ପଠାନଥିବାରୁ ଚାଷୀମାନେ ଭାରି କ୍ଷତିର ସମ୍ମୁଖୀନ ହେଉଛନ୍ତି।ଏହି ଅବ୍ୟବସ୍ଥାକୁ ନେଇ ଶନିବାର ସକାଳେ ମନୋରଞ୍ଜନ ପରିତା, ହରେକୃଷ୍ଣ ସେଠୀ, ଗଣେଶ ମଣ୍ଡଳ, ଯଦୁନାଥ ରାଉତ, ସୁରେନ୍ଦ୍ର ବେହେରା, ରତିକାନ୍ତ ବେହେରା, ପଞ୍ଚାନନ ବାରିକ, ବିରେନ୍ଦ୍ର ପାଠକ, ଭଗବାନ ମଣ୍ଡଳ, ରବୀନ୍ଦ୍ର ମଣ୍ଡଳ, ଗଳେନ୍ଦ୍ର ପଲେଇ ଆଦି ବହୁ ଚାଷୀ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। ରୋଷରେ ଚାଷୀମାନେ ସେବା ସମବାୟ ସମିତିର ସମ୍ପାଦକ ତାପସ କୁମାର ଦାସଙ୍କୁ ଅଟକ ରଖିଥିଲେ।ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ରମାକାନ୍ତ ମଲିକ ପହଞ୍ଚି ଚାଷୀମାନଙ୍କୁ ବୁଝାଇଥିଲେ। ପରେ ବାହାନଗା ତହସିଲଦାର ଅମ୍ବିକା ପ୍ରସାଦ ଓ ସୁପରଭାଇଜର ଉଧାବଲ୍ଲଭ ରଞ୍ଜିତ ମଧ୍ୟ ଘଟଣାସ୍ଥଳକୁ ଯାଇ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ତାଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।ସମ୍ପାଦକ ଶ୍ରୀ ଦାସଙ୍କ ସୂଚନା ଅନୁସାରେ, ଏହି ମଣ୍ଡିରେ ମୋଟ ୧୧୮୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏପର୍ଯ୍ୟନ୍ତ ୬୫୨ ଜଣ ଚାଷୀ ଧାନ ଜମା କରିଛନ୍ତି। ଶନିବାର ଦିନ ୧୫ ଜଣ ଚାଷୀଙ୍କ ଠାରୁ ୩୮୦ କ୍ୱିଣ୍ଟାଲ ଧାନ ଲିଳା ଇଣ୍ଡଷ୍ଟ୍ରି ଓ ଭୋଳାଶଙ୍କର ରାଇସ୍ ମିଲ୍ ଦ୍ୱାରା ଉଠାଯାଇଥିବା ଜଣାପଡ଼ିଛି।ତେବେ, ମଣ୍ଡିର ଅବ୍ୟବସ୍ଥା ଓ ଧାନ ଉଠାଣିରେ ବିଳମ୍ବ ଯୋଗୁଁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି।





