ନିର୍ବାଚନ ପୂର୍ବରୁ ବିରୋଧ ଭୟ ! ; ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ସରକାର

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଗତ ମାସରେ ରାଜ୍ୟରେ ୩୫ ନୂଆ ଏନଏସି ଗଠନ ନେଇ ଘୋଷଣା ପରେ ସାରା ରାଜ୍ୟରୁ ବାଦ୍ ପଡ଼ିଥିବା ବିଭିନ୍ନ ଅଞ୍ଚଳରେ ବିରୋଧାଭାସ ଦେଖିବାକୁ ମିଳିଥିଲା। ଏପରିକି କିଛି ସ୍ଥାନରେ ବନ୍ଦ୍ ଡାକରା ଦେଇ ପ୍ରତିବାଦ ମଧ୍ୟ କରାଯାଇଥିଲା। ଆଉ ନିର୍ବାଚନ ପୂର୍ବରୁ ଏଭଳି ମହୋଲ୍ କୁ ଦେଖି ଆଜି ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ଏନଏସି ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି , ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ , ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର ,ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ,ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ଏନଏସି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ମାସରେ ମୁଖ୍ୟମନ୍ତ୍ରୀ ୩୫ଟି ନୂଆ ଏନଏସି ଓ ୫ଟି ନୂଆ ମ୍ୟୁନିସପାଲିଟି ଗଠନ ବିଷୟ ଘୋଷଣା କରିଥିଲେ । ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଥିଲା। ହେଲେ ରାଜ୍ୟର ସବୁ ଅଞ୍ଚଳରୁ ବିରୋଧାଭାସ ଉଠିବା ପରେ ଏବେ ଆଉ ୨୨ ଟି ନୂଆ ଏନଏସି ଘୋଷଣା କରାଯାଇଛି।

Related Posts