ପ୍ୟାରିସ: କତାରରେ ଫିଫା ବିଶ୍ୱକପ ଖେଳାଯିବ । ତେବେ ତା ପୂର୍ବରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଶ୍ୱକପର ମ୍ୟାଚ୍ ଗୁଡ଼ିକ ଖେଳା ଯିବାକୁ ଥିବା ୮ ଷ୍ଟାଡିୟମର ଆଖପାଖରେ କୌଣସି ବି ପରିସ୍ଥିତିରେ ବିୟର ବିକ୍ରି ହୋଇପାରିବ ନାହିଁ।
ଏହାର ଅର୍ଥାତ ବିଶ୍ୱକପ ମ୍ୟାଚ୍ ଖେଳାଯିବାକୁ ଥିବା ଷ୍ଟାଡିୟମଗୁଡ଼ିକ ବାହାରେ ବିୟର ବିକ୍ରିକୁ ସଂପୂର୍ଣ୍ଣ ନିଷେଦ୍ଧ କରାଯାଇଛି। ଫିଫା ଓ କତାର ସରକାର ମିଳିତ ଭାବେ ଏପରି ନିଷ୍ପତ୍ତି ନେଇଛନ୍ତି। ଫିଫା ପକ୍ଷରୁ କୁହାଯାଇଛି ଯେ ବିଶ୍ୱକପ ଆୟୋଜନ କରୁଥିବା ଦେଶ ସହ ଆଲୋଚନା କରାଯିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ବିଶ୍ୱକପ ଆୟୋଜନ କରୁଥିବା କତାର ହେଉଛି ଗୋଟିଏ ଇସଲାମିକ ଷ୍ଟେଟ। ଏଠାରେ ମଦ ସେବନକୁ ବେଶ ଗୁରୁତ୍ୱର ସହ ନିଷେଦ୍ଧ କରାଯାଇଥାଏ।
ଫିଫା ପକ୍ଷରୁ ଏପରି ନିଷ୍ପତ୍ତି ପାଶ୍ଚାତ୍ୟ ଦେଶରୁ ବିଶ୍ୱକପ ଦେଖିବାକୁ ଆସିଥିବା ଲୋକଙ୍କୁ ଚକିତ କରିଛି। ହେଲେ ଫିଫା ନିର୍ଦ୍ଦିଷ୍ଟ ଭାବେ କ’ଣ ପାଇଁ ଅଲକହଲ ସେବନ ଉପରେ ରୋକ ଲଗାଇଲା, ସେକଥା କହିନି। କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ, କତାରରେ ଶାସନ କରୁଥିବା ପରିବାର ଏଥିରେ ହସ୍ତକ୍ଷେପ କରିଥିଲା। ଏହି ଚାପରେ ଫିଫା ବିୟର ବିକ୍ରି ଉପରେ ବ୍ୟାନ ଲଗାଇଛି। ଫିଫା କହିଛି ଯେ ଆଲକହଲକୁ ଫ୍ୟାନ୍ସ ଜୋନରେ କେନ୍ଦ୍ରିତ କରାଯିବ। କତାର ଫିଫା ବିଶ୍ୱକପ ୨୦୨୨ ଷ୍ଟାଡିୟମ ଆଖପାଖରୁ ବିୟର ବିକ୍ରି ପଏଣ୍ଟ ଗୁଡ଼ିକ ହଟାଇ ଦିଆଯିବ।
ଅନ୍ୟପକ୍ଷରେ ଫିଫାର ଏପରି ନିଷ୍ପତ୍ତି ପୂରା ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ପ୍ରାୟୋଜକ ସାଜିଥିବା ବିୟର ତିଆରି କମ୍ପାନୀ ଏବି ଇନବେଭକୁ ପ୍ରଭାବିତ କରିବ। କାରଣ ରବିବାର ବିଶ୍ୱକପ ଆରମ୍ଭ ପୂର୍ବରୁ ବିଭିନ୍ନ ଷ୍ଟାଡିମୟ ବାହାରେ ବିୟର ବିକ୍ରି ପାଇଁ ଟେଣ୍ଟ ତିଆରି କରାଯାଇଥିଲା।
ପ୍ରଥମ ମ୍ୟାଚରେ କତାର ଓ ଇକ୍ୟୁଡର ମୁହାଁମୁହିଁ ହେବେ। ଏହାପୂର୍ବରୁ ବିୟର ବିକ୍ରି ପାଇଁ ସବୁ ପ୍ରକାରର ଯୋଜନା ସରିଥିଲା। ହେଲେ ଏବେ ସବୁ ଯୋଜନାରେ ପାଣି ପଡ଼ି ଯାଇଛି





