ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରବିବାର ଫୁଟବଲ ମହାକୁମ୍ଭର ମେଗା ଫାଇନାଲ୍ରେ ଆର୍ଜେଣ୍ଟିନା ତୃତୀୟ ବିଶ୍ବକପ୍ ଟାଇଟଲ ଜିତିଛି। ଏଥି ସହିତ ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଲୁସାଇଲ୍ ଆଇକନିକ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଏଇ ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକର ମ୍ୟାଚ୍ରେ ଗତବର୍ଷର କୋପା ଆମେରିକା ବିଜେତା ଆର୍ଜେଣ୍ଟିନା ୪-୨ (୩-୩) ସୁଟ୍ଆଉଟ୍ରେ ଗତଥର ବିଶ୍ବ ବିଜେତା ଫ୍ରାନ୍ସକୁ ପରାସ୍ତ କରି ଜୁଲସ ରିମେଟ ଟ୍ରଫି ଜିତିଛି। ଏହି ବିଜୟ ଫଳରେ ମେସିଙ୍କ ଦୀର୍ଘ ଦିନର ସ୍ବପ୍ନ ମଧ୍ୟ ସାକାର ହୋଇଛି। ନିଜର ଶେଷ ବିଶ୍ବକପ୍ ମ୍ୟାଚ୍ରେ ଦେଶକୁ ଟ୍ରଫି ଉପହାର ଦେଇଛନ୍ତି ମେସି। ଏହି ସ୍ବପ୍ନର ଟ୍ରଫି ଜିତି ମେସିଙ୍କ ଦଳ ମଧ୍ୟ ଆର୍ଜେଣ୍ଟିନା ମହାନ୍ ଡିଆଗୋ ମାରାଡୋନାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।
ଅନ୍ୟପକ୍ଷରେ ଏମ୍ବାପେଙ୍କ ଚମତ୍କାର ହ୍ୟାଟ୍ରିକ୍ ଗୋଲ୍ ସତ୍ତ୍ବେ ଫାଇନାଲ୍ରେ ପରାସ୍ତ ହୋଇ କାତାରରେ ଫ୍ରାନ୍ସର ଲଗାତାର ଦ୍ବିତୀୟ ତଥା ତୃତୀୟ ବିଶ୍ବକପ୍ ଟ୍ରଫି ସ୍ବପ୍ନ ଭାଙ୍ଗିଯାଇଛି। ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍କୁ ଆସିଥିବା ଫ୍ରାନ୍ସ ଟ୍ରଫି କବ୍ଜା କରିବାରେ ବିଫଳ ହୋଇଛି। ତଥାପି କିଲିଆନ୍ ଏମ୍ବାପେ କାତାର ସଂସ୍କରଣରେ ସର୍ବାଧିକ ୮ ଗୋଲ୍ ଦେଇ ଗୋଲ୍ଡେନ୍ ବୁଟ୍ର ବିଜେତା ହୋଇଛନ୍ତି।
ରବିବାର ସ୍ପଳ୍ପ ସମୟର ରଙ୍ଗାରଙ୍ଗ ଉଦ୍ଯାପନୀ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିବା କାତାରର ଶେଷ ଲଢେଇ। ଆରମ୍ଭରୁ ଆର୍ଜେଣ୍ଟିନା ଭାରି ଜଣାପଡୁଥିଲା ବେଳେ ବାରମ୍ବାର ଫ୍ରାନ୍ସ ପୋଷ୍ଟ ଅଞ୍ଚଳରେ ଗହଳି ଦେଖାଯାଉଥିଲା। ୨୨ତମ ମିନିଟ୍ରେ ଓସ୍ମାନ ଡେମ୍ବେଲେ ପୋଷ୍ଟ ଅଞ୍ଚଳ ଭିତରେ ଡି ମାରିଆଙ୍କୁ ଫାଉଲ୍ ମାରିବାରୁ ରେଫରି ଏହାକୁ ପେନାଲ୍ଟି ଘୋଷଣା କରିଥିଲେ। ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନକରି ଚଳିତ ବିଶ୍ବକପ୍ରେ ମେସି ଷଷ୍ଠ ଗୋଲ୍ ସ୍କୋର କରିଥିଲେ। ସେହିପରି ୩୬ତମ ମିନିଟ୍ରେ ମେସିଙ୍କ ସହଯୋଗରେ ଆର୍ଜେଣ୍ଟିନା ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ପଡ଼ିଆ ଅଧାରୁ ମେସିଙ୍କଠୁ ପାସ୍ ପାଇ ଆଲିଷ୍ଟର ସିଧାସଳଖ ପୋଷ୍ଟ ପାଖକୁ ବଲ୍ ନେଇ ଦୌଡ଼ିଥିଲେ। ସେଠାରେ ଫ୍ରାନ୍ସ ଡିଫେନ୍ସକୁ ଚକ୍ମା ଦେଇ ଡି ମାରିଆଙ୍କୁ ବଲ୍ ପାସ୍ କରିଥିଲା ବେଳେ ସେ ଏହାକୁ ଗୋଲ୍ରେ ପରିଣତ କରିଥିଲେ। ଏହାଦ୍ବାରା ଡି ମାରିଆ ନକ୍ଆଉଟ୍ ପର୍ଯ୍ୟାୟରେ ସବୁଠୁ ଅଧିକ ଗୋଲ୍ ଦେଇ ନିଜ କୀର୍ତ୍ତିମାନକୁ ଭାଙ୍ଗିଥିଲେ।
ସେହିପରି କୋପା ଆମେରିକା ଓ ଫିଫା ବିଶ୍ବକପ୍ ଫାଇନାଲ୍ରେ ଗୋଲ୍ ଦେବାରେ ସେ ପ୍ରଥମ ଖେଳାଳି ହୋଇଥିଲେ। ଖେଳ ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ରହିଥିଲା। ତେବେ ଫାଇନାଲ୍ ପୂର୍ବରୁ ମେସିଙ୍କ ସହ ଯୁଗ୍ମ ଭାବେ ସର୍ବାଧିକ ଗୋଲ୍ ସ୍କୋରର ଥିବା ଏମ୍ବାପେ ଓ ଫରୱାର୍ଡ ଗିରୋଡ୍ ଦ୍ବିତୀୟାର୍ଦ୍ଧରେ ଗୋଲ୍ ବ୍ୟବଧାନ ହ୍ରାସ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ବାରମ୍ବାର ପୋଷ୍ଟକୁ ଟାର୍ଗେଟ୍ କରାଯାଉଥିଲେ ବି ସବୁକିଛି ନିଷ୍ଫଳ ହେଉଥିଲା। ତଥାପି ୭୯ ମିନିଟ୍ରେ ନିକୋଲାସ୍ ଓଟାମେଣ୍ଡି ଫ୍ରାନ୍ସର ରାନ୍ଦାଲ୍ କୋଲୋ ମୁଆନିଙ୍କୁ ବଲ୍ ଚେସ୍ କରିବା ସମୟରେ ପୋଷ୍ଟ ଅଞ୍ଚଳ ଭିତରେ ଫାଉଲ୍ ମାରିବାରୁ ରେଫରି ଏହାକୁ ପେନାଲ୍ଟି ଘୋଷଣା କରିଥିଲେ। ଏମ୍ବାପେ ୮୦ ମିନିଟ୍ରେ ଏହି ସଟ୍ ନେଇଥିଲା ବେଳେ ଷଷ୍ଠ ଗୋଲ୍ ଦେଇ ମେସିଙ୍କ ସମକକ୍ଷ ହୋଇଥିଲେ। ଏତିକିରେ ସେ ଅଟକି ନଯାଇ ଗୋଟିଏ ମିନିଟ୍ ପରେ ପୁଣି ଏକ ଫିଲ୍ଡ ଗୋଲ୍ ଦେଇ ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିଥିଲେ। ଏହି ଦୁଇ ଗୋଲ୍କୁ ୯୭ ସେକେଣ୍ଡ ମଧ୍ୟରେ ସ୍କୋର କରି କମ୍ ସମୟ ବ୍ୟବଧାନରେ ଗୋଲ୍ ଦେବାରେ ରୋନାଲ୍ଡୋ (ବ୍ରାଜିଲ୍)ଙ୍କୁ ସେ ଟପିଯାଇଛନ୍ତି। ୨୦୦୨ ବିଶ୍ବକପ୍ରେ ଜର୍ମାନି ବିପକ୍ଷ ମ୍ୟାଚ୍ରେ ରୋନାଲ୍ଡୋ ଏହି କୀର୍ତ୍ତିମାନ ହାସଲ କରିଥିଲେ।
ତେବେ ନିର୍ଦ୍ଧାରିତ ସମୟରେ ସ୍ଥିତି ବରାବର ରହିବାରୁ ମ୍ୟାଚ୍ ଅତିରିକ୍ତ ସମୟକୁ ଚାଲିଯାଇଥିଲା। ହେଲେ ଏଥର ପୁଣି ଥରେ ମେସି ନିଜର ଯାଦୁ ଦେଖାଇ ୧୦୮ ମିନିଟ୍ରେ ଗୋଲ୍ରକ୍ଷକଙ୍କୁ ପରାସ୍ତ କରି ଗୋଲ୍ ଦେଇଥିଲେ। ଏହି ଗୋଲ୍ ବଳରେ ବିଶ୍ବକପ୍ରେ ମେସିଙ୍କ ଗୋଲ୍ ସଂଖ୍ୟା ୧୩ରେ ପହଞ୍ଚିଥିଲା ବେଳେ ଆର୍ଜେଣ୍ଟିନା ପାଇଁ ୯୮ତମ ଗୋଲ୍ ଦେଇଥିଲେ। କିନ୍ତୁ ୧୧୭ତମ ମିନିଟ୍ରେ ମଣ୍ଟେଇଲ୍ଙ୍କ ହ୍ୟାଣ୍ଡବଲ୍ ଯୋଗୁଁ ଫ୍ରାନ୍ସ ପୁଣି ଏକ ପେନାଲ୍ଟି ପାଇଥିଲା ବେଳେ ଏମ୍ବାପେ ହ୍ୟାଟ୍ରିକ୍ ଗୋଲ୍ ଦେଇ ମ୍ୟାଚ୍କୁ ୩-୩ରେ ପହଞ୍ଚାଇଥିଲେ। ଅତିରିକ୍ତ ସମୟରେ ଫଳାଫଳ ନବାହାରିବାରୁ ପେନାଲ୍ଟି ସୁଟ୍ଆଉଟ୍ ଖେଳାଯାଇଥିଲା। ଏହି ସୁଟ୍ଆଉଟ୍ରେ ୪-୨ ଗୋଲରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ହରାଇ ବିଶ୍ବ ବିଜେତା ହୋଇଛି।





