ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା; ଶସ୍ତା ହେବ ମୋବାଇଲ,ପ୍ରାକୃତିକ ଚାଷକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୨୩/୭(ସତ୍ୟପାଠ ବ୍ୟୁରୋ):  ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏପଟେ ପିଏମ ଆବାସ, ମୋବାଇଲ ଏଵଂ ମୋବାଇଲ ଉତ୍ପାଦ, ନିଯୁକ୍ତି, ଏବଂ କୃଷିକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

୩ କୋଟି ପିଏମ୍‌ଏୱାଇ…

ପ୍ରତି ପରିବାରକୁ ବାସଗୃହ ଯୋଗାଇବେ ସରକାର । ପିଏମ୍‌ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଶସ୍ତା ହେବ ମୋବାଇଲ…

ଉପସ୍ଥାପିତ କେନ୍ଦ୍ର ବଜେଟରେ ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଆହୁରି ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ ।

ଯୁବବର୍ଗଙ୍କୁ ନିଯୁକ୍ତି…

ଏଥର ବଜେଟ୍‌ରେ ନିଯୁକ୍ତି, ଦକ୍ଷତା ବିକାଶ, ଏମଏସଏମଇ, ମଧ୍ୟବିତ୍ତଙ୍କୁ ଫୋକସ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି । ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା । ବିକଶିତ ଭାରତକୁ ବଜେଟରେ ପ୍ରାଥମିକତା ଦିଆଯିବ ।

କୃଷି କ୍ଷେତ୍ର ପାଇଁ…

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ମଧ୍ୟ ଦିଆଯାଇଛି । ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ରହିଛି । ସେହିପରି ପିଏମ୍ ଯୋଜନାରେ ମିଳିବ ୧୫ ହଜାର ଟଙ୍କା ।

ଅନ୍ୟପଟେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ।

ବିହାର, ଆନ୍ଧ୍ର ପାଇଁ ହାତ ଖୋଲିଦେଲେ ନିର୍ମଳା..

ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା କହିଲେ ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଛି ।

Related Posts