ଅଗ୍ନିପଥ’ ବିରୋଧ ନିଆଁ: କଂଗ୍ରେସର ସତ୍ୟାଗ୍ରହ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶ ବ୍ୟାପି ଜଳୁଛି ନିଆଁ। ଦେଶବ୍ୟାପି ବିକ୍ଷୋଭର ନିଆଁ ଜଳୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନାକୁନେଇ ସଫେଇ ଦିଆଚାଲିଥିବା ବେଳେ କିନ୍ତୁ ଅସନ୍ତୋଷର ନିଆଁ ଥମିବାରନାଁ ଧରୁନି । କଂଗ୍ରେସ ବିରୋଧ ପ୍ରଦର୍ଶନ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି। ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟରରେ ଏକ ପୋଷ୍ଟ କରି ବିଜେପି ସରକାରକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି ।

ରାହୁଲ ଗାନ୍ଧି ଟ୍ୱିଟରରେ ଲେଖିଛନ୍ତି, ‘କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶରେ ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି। ମୋଦି ସରକାର ଦେଶର ବେରୋଜଗାର ଯୁବକଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି। ଏହାସହ ସେ କହିଛନ୍ତି ମୋଦି ସରକାର ଶାସନର ୮ ବର୍ଷ ମଧ୍ୟରେ ୧୬ କୋଟି ଚାକିରି ମିଳିବା କଥା, କିନ୍ତୁ ସେ କେବଳ ଯୁବକମାନଙ୍କୁ ‘ପକୁଡି ଛାଣିବା’ ପାଇଁ ଜ୍ଞାନ ବାଣ୍ଟୁଛନ୍ତି। ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ ବୋଲି କଂଗ୍ରେସ ୟାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।’

କହିରଖୁ କି ଦିଲ୍ଲୀର ଜନ୍ତର ମନ୍ତର ଠାରେ ଚାଲିଥିବା ସତ୍ୟାଗ୍ରହରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି, ସଚ୍ଚିନ ପାଇଲଟଙ୍କ ସମେତ ଅନେକ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି।

ପ୍ରିୟଙ୍କା କହିଛନ୍ତି,’ଦେଶର ସେବା କରିବା ପାଇଁ ଯୁବପିଢ଼ିଙ୍କୁ ସାରା ଜୀବନ ସେନାରେ ଯୋଗଦେବାକୁ ସୁଯୋଗ ଦେବା ଉଚିତ। ଯାହା ଘଟୁଛି ତାହା ଭୁଲ୍ ହେଉଛି। ଏହି ଯୋଜନା ପ୍ରତ୍ୟାହାର କରାଯିବା ଉଚିତ।’ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ଜନ୍ତରମନ୍ତର ପଡିଆରେ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।

ସେପଟେ ଆରଜେଡି ନେତା ତେଜସ୍ୱୀ ଯାଦବ ବି ଏହି ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ସଠିକ ଯୋଜନା ପ୍ରସ୍ତୁତ ନ କରି କେନ୍ଦ୍ର ସରକାର ଏଭଳି ଯୋଜନା ଘୋଷଣା କରିବା ଠିକ୍ ନୁହେଁ। ଏହାସହ ଏହି ଯୋଜନାରେ ବାସ୍ତବିକ କ’ଣ ରହିଛି ସେନେଇ ଦେଶର ଯୁବକମାନଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରନ୍ତୁ ମୋଦି ସରକାର।’

ଉଲ୍ଲେଖ ଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ନିଯୁକ୍ତ ଯୋଜନାକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଏହି ଯୋଜନା ବିରୋଧରେ ଦେଶର ଯୁବକମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି।

Related Posts