ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ପୁଣିଥରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ୩ ନମ୍ବର ବଟରଫ୍ଲାଇ ଭଲ୍ଭ ରେ ଯାନ୍ତ୍ରିକ ତ୍ରୁଟିରୁ ପ୍ରକଳ୍ପ ବନ୍ଦ ହୋଇଯାଇଛି । ଗତ ୨୫ ତାରିଖରେ କିଛି ଗଛପତ୍ର ଭଲ୍ବ ଭିତରକୁ ପଶିଯାଇଥିବା ସନ୍ଦେହ କରାଯାଉଛି । ଏଣୁ ୨ଦିନ ଧରି ପ୍ରକଳ୍ପ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।
ପ୍ରକାଶଥାଉକି, ବର୍ତ୍ତମାନ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ଘଣ୍ଟା ପ୍ରତି ୫୭ ମେଗାୱାଟର ବିଦ୍ୟୁତ କ୍ଷତି ସହିବାକୁ ପଡ଼ୁଛି । ପ୍ରକଳ୍ପକୁ ୬୮ବର୍ଷ ବିତିଯାଇଥିବା ବେଳେ ଏହାର ବହୁ ଯନ୍ତ୍ରାଂଶର ମରାମତି ଜରୁରି ହୋଇପଡି଼ଛି । ଗତ ୨୫ ତାରିଖରେ ଟିପି ଡ୍ୟାମ ଦେଇ ବହୁ ଗଛପତ୍ର ଆସି ପ୍ରଥମେ ଡ୍ୟାମ ଗେଟ ଭାଙ୍ଗିଥିଲା । ଜଳ ବିଦ୍ୟୁତ ପ୍ରକଳ୍ପର ସୁଡୁଙ୍ଗ ଗେଟ ଭାଙ୍ଗିଯାଇଥିଲା । ଏଥିପାଇଁ ୪ ଦିନ ପ୍ରକଳ୍ପ ବନ୍ଦ ରହିଥିଲା ।
ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଶେଷ କରାଯିବା ଲକ୍ଷ୍ୟ ରଖାଯାଇଛି । ମାଛକୁଣ୍ଡ ଜଳବିଦ୍ୟୁତ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ମିଳିତ ପ୍ରକଳ୍ପ ହୋଇଥିଲେ ମଧ୍ୟ ଓଡ଼ିଶା ଅଧିକାରୀଙ୍କ ବର୍ତ୍ତମାନ ସୁଦ୍ଧା ଦେଖା ମିଳୁ ନାହିଁ । ଅନ୍ୟପକ୍ଷେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଏବି ଦିନକୁ ଲକ୍ଷାଧିକ ଟଙ୍କାର କ୍ଷତି ଉଭୟ ରାଜ୍ୟକୁ ସହିବାକୁ ପଡ଼ୁଛି ।





