କଟକ : ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତି ଏବେ ଧିରେ ଧୀରେ ନିୟନ୍ତ୍ରଣ ମଧ୍ୟକୁ ଆସିବାକୁ ଲାଗିଛି । ନଦୀର ଜଳସ୍ତର କମିବା ସହ ହୀରାକୁଦ ଗେଟ୍ ବନ୍ଦ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଥିବା, ଓ ସମସ୍ତ ବିପନ୍ନଙ୍କ ପାଖରେ ୧୫ ଦିନ ପାଇଁ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆସରିଛି । ପାଣି ଛାଡ଼ିଲା ମାତ୍ରେ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦିଆଯିବ ବୋଲି କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନି କହିଛନ୍ତି ।
ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରେ ୪୦ ଗେଟ୍ ଖୋଲିଥିବା ବେଳେ, ଏବେ ମାତ୍ରମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଖବର ଅନୁଯାୟୀ, ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରେ ପାଣିର ସ୍ତର କମିବାରେ ଲାଗିଛି । ଏବେ ଜଳଭଣ୍ଡାରରେ ଧୀରେ ଧୀରେ ପାଣି କମିବା ପରେ ଗେଟ୍ ମଧ୍ୟ ବନ୍ଦ କରାଯାଉଛି । ଶନିବାର ସକାଳେ ପ୍ରଥମେ ୪ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଏବେ ଆଉ ୬ଟି ଗେଟ୍କୁ ବନ୍ଦ କରାଯାଇଛି । ଏବେ ସୁଦ୍ଧା ମୋଟ ୧୦ଟି ଗେଟ୍ ବନ୍ଦ ହୋଇଛି । ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି । ଡାହାଣ ପଟେ ୪ଟି ଗେଟ୍ ଖୋଲିଥିବା ବେଳେ ବାମ ପଟେ ୬ଟି ଗେଟ୍ ଖୋଲିଛି ।





