କଟକ: ଲଗାଣ ବର୍ଷା ଫଳରେ ହୀରାକୁଦ ଜଳ ଭଣ୍ଡାରର ଗେଟ ଖୋଲିଛି । ବର୍ତ୍ତମାନ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀର ଜଳସ୍ତର ବଢୁଛି। ସକାଳ ୬ଟା ସୁଦ୍ଧା ଖଇରମାଳ ଦେଇ ୧୦ ଲକ୍ଷ ୫୨ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୯ ଲକ୍ଷ ୭୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳୀ ଦେଇ ମହାନଦୀରେ ୮ ଲକ୍ଷ ୫୭ ହଜାର ୯୧୫ କ୍ୟୁସେକ ଜଳ, ଯୋବ୍ରା ବ୍ୟାରେଜ ଦେଇ ୩ ଲକ୍ଷ ୮୯ ହାଜର ୪୧ କ୍ୟୁସେକ ଜଳ ଓ ନରାଜ ଦେଇ କାଠଯୋଡ଼ି ନଦୀରେ ୪ ଲକ୍ଷ ୨୩ ହଜାର ୨୩୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି।
ଅନୁମାନ କରାଯାଉଛି ଏତେ ପାଣି ଆସିବା ପରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ। ଏହାରି ଭିତରେ ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ ଏବେ ଜଳ ପ୍ରବାହିତ ହେଉଛି। ତେଣେ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି। ପ୍ରାୟ ୪ ଦିନ ହେଲା ଲଗାଣ ବର୍ଷା ହେବା ଯୋଗୁ ଏଭଳି ପରିସ୍ଥିତି ଦେଖାଦେଇଛି।





