ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ଶାଳିନୀ ପଣ୍ଡିତଙ୍କୁ ମିଶନଶକ୍ତି ବିଭାଗ ଦାୟିତ୍ବ

ଭୁବନେଶ୍ୱର,୦୩/୫(ସତ୍ୟପାଠ ବ୍ୟୁରୋ):    ଆଇଏଏସ୍ ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସୁଜାତା ନିଜର ପଦ ଓ କ୍ଷମତାର ଦୁରୂପଯୋଗ କରି ବିଜେଡିର ପକ୍ଷରୁ ମହିଳା ମାନକୁ ଚାପ ପକାଇଥିବା ବିଜେପି ଗତକାଲି ଅଭିଯୋଗ କରିଥିଲା । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଜି ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଛନ୍ତି ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ।

ସୁଜାତା ଏବେ ମିଶନ ଶକ୍ତି ବିଭାଗ ସହ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାର ଆଜି ତାଙ୍କୁ ଉଭୟ ଦାୟିତ୍ୱରୁ ଅବ୍ୟାହତି ଦେଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି । ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଜାରି ହେବା ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟର ଏସଏଚଜି ମହିଳାମାନଙ୍କୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦିଆଯାଉଥିବା ନେଇ ବିଜେପି ଗତକାଲି ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା । ସୁଜାତାଙ୍କୁ ସାଧାରଣ ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସହ ଜଡ଼ିତ ଥିବା ଦାୟିତ୍ୱ ନରଖିବାକୁ ଦାବି କରିଥିଲା । ନିର୍ବାଚନ କମିଶନ ତତ୍କାଳ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସୁଜାତାଙ୍କୁ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁଜାତାଙ୍କ ଉପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଶାସକ ବିଜେଡି ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି ।

Related Posts