ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନରେ ଘରୋଇ ଫୁଟବଲ ମ୍ୟାଚ୍ ଖେଳାଯାଇଛି । ଏହି ସମୟରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଏଠାରେ ୪୦ ବର୍ଷରେ ପ୍ରଥମ ଥର ଏପରି ହୋଇଛି ଯେତେବେଳେ ମହିଳାମାନେ ଷ୍ଟାଡିୟମରେ ପହଞ୍ଚି ଦେଖିଛନ୍ତି । ତେହରାନର ଆଜାଦୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଏହା ଏକ ପ୍ରଫେସନାଲ ମ୍ୟାଚ ଥିଲା। ଷ୍ଟାଡିୟମରେ ମହିଳା ଏବଂ ପୁରୁଷଙ୍କ ବସିବା ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଥିଲା। ଏପରିକି ଷ୍ଟାଡିୟମରେ ପ୍ରବେଶ ଗେଟ୍ ମଧ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ୧୯୭୯ ମସିହାରୁ ଇସଲାମିକ ରିଭୋଲ୍ୟୁସନ ପରେ ମହିଳାଙ୍କ ଖେଳ ପଡିଆରେ ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ତେବେ ରାଷ୍ଟ୍ରୀୟ ଟିମର କିଛି ମ୍ୟାଚରେ ମହିଳା ଦର୍ଶକଙ୍କୁ ଏଣ୍ଟ୍ରି ଦିଆଯାଇଥିଲା । ୨୦୧୯ ମସିହାରେ ଇରାନ ଏବଂ କମ୍ୱୋଡିଆ ମଧ୍ୟରେ ଖେଳାଯାଇଥିବା ଫୁଟବଲ ବିଶ୍ୱ କପ କ୍ୱାଲିଫାୟର ମ୍ୟାଚ ଦେଖିବା ପାଇଁ ମହିଳାଙ୍କୁ ଅନୁମତି ଦିଆଯାଇଥିଲା । ଫିଫା ଏବଂ ମାନବାଧିକାର ସଂଗଠନ ଚାପରେ ମହିଳାଙ୍କ ଷ୍ଟାଡିୟମରେ ପ୍ରବେଶ ଉପରେ ଇରାନ ଅନୁମତି ଦେଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମସିହାରେ ସାହରା ଖୋଦୟାରୀ ନାମକ ଜଣେ ମହିଳା ଫୁଟବଲ ପ୍ରଶଂସକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ତେହେରାନ ଫୁଟବଲ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦିଆ ନଯିବାରୁ ସେ ଏପରି ନିଷ୍ପତ୍ତି ନେଇଥିଲେ । ଏହା ପରଠୁ ଷ୍ଟାଡିୟମରେ ମହିଳାଙ୍କ ପ୍ରବେଶ ନେଇ ଇରାନ ସରକାରଙ୍କ ଉପରେ ଚାପ ବଢିଥିଲା ।





