ଲଗାତାର ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହେଲା ନାଗାଲାଣ୍ଡ, ସରକାରଙ୍କୁ ସମର୍ଥନ କଲେ ସବୁ ଦଳର ବିଧାୟକ

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ଲଗାତାର ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହୋଇଛି ନାଗାଲାଣ୍ଡ ବିଧାନସଭା। ନିର୍ବାଚନରେ ଜିତିଥିବା ସମସ୍ତ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ ବିଧାୟକ ସରକାରରେ ସାମିଲ ହେବେ ନା ସରକାରଙ୍କୁ ବାହରୁ ସମର୍ଥନ ଯୋଗାଇବେ, ତାହା ସ୍ପଷ୍ଟ ହୋଇନି।

ସମସ୍ତ ଦଳର ବିଧାୟକଙ୍କୁ ସରକାରରେ ସାମିଲ କରାଯିବ କି ନାହିଁ, ତା’ର ନିଷ୍ପତ୍ତି କ୍ଷମତାରେ ଥିବା ଏନଡିପିପି-ବିଜେପି ମେଣ୍ଟ ମିଳିତ ଭାବେ ନେବେ ବୋଲି ନାଗାଲାଣ୍ଡ ଉପ ମୁଖ୍ୟମନ୍ତ୍ରୀ ୱାଇ ପାଟ୍ଟୋନ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଏନଡିପିପି ମୁଖ୍ୟ ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ପାଟ୍ଟୋନ ହେଉଛନ୍ତି ବିଜେପି ନେତା।

ସୂଚନାଯୋଗ୍ୟ ଯେ, ୨୦୨୧ରେ ମଧ୍ୟ ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ ରହିଥିଲା। ସବୁ ଦଳର ବିଧାୟକ ସରକାରଙ୍କୁ ସମର୍ଥନ କରିବାରୁ ଏନଡିପିପି-ବିଜେପି ମେଣ୍ଟର ନାଁ ପିପୁଲ୍ସ ଡେମୋକ୍ରାଟିକ ଆଲିଆନ୍ସ ଗଭର୍ଣ୍ଣମେଣ୍ଟରୁ ୟୁନାଇଟେଡ ଡେମୋକ୍ରାଟିକ ଆଲିଆନ୍ସ(ୟୁଡିଏ) ହୋଇଥିଲା। ସେତେବେଳେ ଏକମାତ୍ର ବିରୋଧୀ ଦଳ ଭାବେ ଏନିପିଏଫ ୨୬ ବିଧାୟକଙ୍କ ସହ ରହିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଜଣେ ସ୍ୱାଧୀନ ବିଧାୟକଙ୍କ ସହ ଏନପିଏଫର ୨୬ ଜଣ ବିଧାୟକ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ।

ସେହିଭଳି ଚଳିତ ବିଧାନସଭା ନିର୍ବାଚନ ପରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ନାଗାଲାଣ୍ଡର ମୋଟ ୬୦ ବିଧାନସଭା ଆସନରୁ ଏନଡିପିପି ଓ ବିଜେପି ମେଣ୍ଟ ୩୭ଟି ସ୍ଥାନରେ ବିଜୟୀ ହୋଇଥିଲେ। ସେହିଭଳି ଶରଦ ପାୱାରଙ୍କ ଏନସିପି ରାଜ୍ୟରେ ତୃତୀୟ ସର୍ବବୃହତ୍ତ ଦଳ ଭାବେ ୭ଟି ଆସନ ଜିତିଛି।

ତେବେ ଏନସିପି ଓ ବିଜେପି ପରସ୍ପର ବିରୋଧରେ ଲଢ଼ୁଥିଲେ ହେଁ ନାଗାଲାଣ୍ଡରେ ଏନସିପି ଖୋଲାଖୋଲି ଭାବେ ରିଓ ସରକାରଙ୍କୁ ସମର୍ଥନ କରିଛି। ଏହାବାଦ ଏନପିପିର ୩ ଜଣ, ଲୋକ ଜନଶକ୍ତି ପାର୍ଟି-ରାମ ବିଳାଶ ଓ ରାମଦାସ ଅଠୱାଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ୨ଟି ଲେଖାଏ ଆସନ ଜିତିଛନ୍ତି। ଏମାନେ ସମସ୍ତେ ଏନଡିଏ ସହ ଥିବାରୁ ନାଗଲାଣ୍ଡରେ ବିଜେପି ମେଣ୍ଟ ସରକାରକୁ ସମର୍ଥନ କରିଛନ୍ତି। ସେପଟେ ନୀତୀଶ କୁମାରଙ୍କ ଜେଡିୟୁ ଗୋଟିଏ ଆସନ ଜିତିଥିବା ବେଳେ ସେ ମଧ୍ୟ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।

Related Posts