ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ଚଢ଼ଉ କରୁଥିବାର ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିଥିଲା। ତାଙ୍କ ଗାଡ଼ିରେ ନଗଦ ଟଙ୍କା ଥିବା ଭିଜିଲାନ୍ସ ଟିମ୍ ଦେଖିବାକୁ ପାଇଥିଲା। ଏହାପରେ ସରକାରୀ ବାସଭବନରୁ ବି ଟଙ୍କା ମିଳିଥିବା କୁହାଯାଉଛି। ତେବେ ଏନେଇ ଏଯାଏ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସର ଟିମ ଚଢ଼ଉ ସାରି ରାତି ୨ଟା ବେଳେ ଫେରିଥିଲେ। ଏହାପରେ ତାଙ୍କର ବ୍ରହ୍ମପୁର ତୁଳସୀ ନଗର ୭ ନମ୍ବର ଲାଇନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ପ୍ରକ୍ରିୟା ଜାରି ରହିଛି।





