କଂଗ୍ରେସରେ ମିଶିଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଏଥିଲାଗି ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନିଜ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହୋଇଥିବା କହିଛନ୍ତି ବଳଭଦ୍ର ମାଝୀ।

ସୂଚନାଯୋଗ୍ୟ, ଗତ ଜାନୁଆରି ୮ ତାରିଖରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ତେବେ ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଟିକେଟ କଟିବା ପରେ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ବି ସେ ବିଜେଡିରେ ସକ୍ରିୟ ଥିଲେ। ହେଲେ ଦଳରେ ଅବହେଳାର ଶିକାର ହୋଇଥିବା କାରଣରୁ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ।

Related Posts