ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ମହାବିଦ୍ୟାଳୟରେ କୋଟିକୋଟି ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ଘରେ ରେଡ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ରମେଶ ସାହୁଙ୍କ ବିଶ୍ୱନାଥପୁର ସ୍ଥିତ ବାସଭବନରେ ଚଢାଉ କରାଯାଇଥିବା ବେଳେ ତାଙ୍କ ଭୁବନେଶ୍ୱର ଆର୍ଯ୍ୟ ଭିଲେଜ ସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢାଉ କରିଛି।
ତେବେ ରମେଶ ସାହୁ ବିଶ୍ୱନାଥପୁର ସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ । ଏହି ସମୟରେ ମହାବିଦ୍ୟାଳୟର କୋଟି କୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ । ପରେ ପୁଲିସ ହାତରେ ଧରାପଡି ଜେଲ ଯାଇଥିଲେ । ସେହିଦିନ ଠାରୁ ତାଙ୍କର ପତ୍ନୀଙ୍କ ନାମରେ ଥିବା ବେନାମୀ ସମ୍ପତ୍ତି ଭିଜିଲାନ୍ସ ସ୍କାନର ରହିଥିଲା । ଫଳରେ ସୋମବାର ସକାଳ ଛଅଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରିଛି ।





