କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି। କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ଆଜି ଯୋଗ ଦେଇଛନ୍ତି । ପ୍ରବୋଧଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଚଂପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି | ଏହି ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ‘ଘରେ ଘରେ କଂଗ୍ରେସ , ଘରେ ଘରେ ହାତ’ ନାମରେ ସେପ୍ଟେମ୍ବର ୨୫ ରୁ ଅକଟୋବର ୧୫ ଯାଏ ଅଭିଯାନ ଚାଲିବ । ପିସିସି ସଭାପତି କହିଛନ୍ତି ଯେ ପଦଯାତ୍ରା କରି ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ |

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ | ଉଲ୍ଲେଖ ଥାଉ କି, ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ। ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ। ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ। ସେମାନଙ୍କ ପାଇଁ ଗାଁ ଦାଣ୍ଡ ହିଁ ଥିଲା ହକି ପଡ଼ିଆ। ବାଉଁଶ ବାଡ଼ି ଓ ଗାଁ ଦାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଇଗ୍ନେଶ ଓ ପ୍ରବୋଧ ପରବର୍ତ୍ତୀ ସମୟରେ ଭାରତୀୟ ହକି ଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ।

ଏକ ସମୟରେ ପ୍ରବୋଧ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ୨୦୦୭ରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା। ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି।

Related Posts