ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): କରୋନା ସଂକ୍ରମଣ ଓ ନିମୋନିଆଦ୍ବାରା ଆକ୍ରାନ୍ତ ହେବାରୁ ‘ଆଇପିଏଲ୍’ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେ ‘ଏକ୍ସଟର୍ନାଲ୍ ଅକ୍ସିଜେନ୍ ସପୋର୍ଟ’ରେ ଅଛନ୍ତି ବୋଲି ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆ ‘ଇନ୍ଷ୍ଟାଗ୍ରାମ୍’ରେ ସୂଚନା ପ୍ରଦାନ କରି ସେ କହିଛନ୍ତି ଯେ, ଦୁଇ ସପ୍ତାହରେ ସେ ଦୁଇଥର କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇଛନ୍ତି।ଖୁବ୍ ଜୋର୍ରେ ନିମୋନିଆ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟୁଇଟ୍ କରି ଶୁକ୍ରବାର ଦିନ ମୋଦୀ ଲେଖିଛନ୍ତି ଯେ, ଇନ୍ଫ୍ଲୁଏଞ୍ଜା ଏବଂ ଖୁବ୍ ଜୋର୍ ନିମୋନିଆ ସହିତ ୨ ସପ୍ତାହରେ ଦୁଇଥର କୋଭିଡ୍ଦ୍ବାରା ଆକ୍ରାନ୍ତ ହୋଇ ଜେଲ୍ରେ ରହିବାର ୩ ସପ୍ତାହ ପରେ ଅନେକ ବାର ଚେଷ୍ଟା କରି ଆସି ପାରି ନ ଥିଲି। ଶେଷରେ ୨ଜଣ ଡାକ୍ତରଙ୍କ ସଙ୍ଗେ ଏୟାର୍ ଆମ୍ବୁଲାନ୍ସ୍ ଯୋଗେ ଲଣ୍ଡନ୍ରେ ଅବତରଣ କଲି। ଲଣ୍ଡନରେ ସୁପରଷ୍ଟାର୍ ତଥା ସୁଦକ୍ଷ ପୁଅ ମୋ ପାଇଁ ବହୁତ କିଛି କଲା। ବିମାନ ଯାତ୍ରାରେ ବାଧା ହୋଇନାହିଁ। କିନ୍ତୁ, ଦୁଃଖର ବିଷୟ ୨୪ ଘଣ୍ଟା ବାହ୍ୟ ଅକ୍ସିଜେନ୍ରେ ରହିଛି। ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସମୟର ଫଟୋଟିଏ ମଧ୍ୟ ସେୟାର୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୩ ସପ୍ତାହ ଜେଲ୍ରେ ରହିବା ପରେ ତାଙ୍କୁ ମେକ୍ସିକୋରୁ ଲଣ୍ଡନ୍କୁ ଅଣାଯାଇଥିବା କଥା ଲଳିତ ମୋଦୀ ଇନ୍ଷ୍ଟାଗ୍ରାମ୍ରେ କହିଛନ୍ତି।





