ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖଙ୍କ ଜେଲରୁ ବାହାରକୁ ଆସିବାର ରାସ୍ତା ଏକ ପ୍ରକାର ସଫା ହୋଇଛି । ବାସ୍ତବରେ, ସିବିଆଇ ବମ୍ବେ ହାଇକୋର୍ଟଙ୍କ ଠାରୁ ପୁଣି ଥରେ ଦେଶମୁଖଙ୍କ ଆବେଦନ ଉପରେ ସ୍ଥଗିତ ରଖିବାକୁ ଦାବି କରିଥିଲା, ଯାହାକୁ କୋର୍ଟ ଏବେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତାକାଲି (ବୁଧବାର) ସୁଦ୍ଧା ଅନିଲ ଦେଶମୁଖ ମୁମ୍ବାଇର ଆର୍ଥର ରୋଡ ଜେଲରୁ ବାହାରକୁ ଆସିପାରନ୍ତି ବୋଲି ଆଶା କରାଯାଉଛି ।
ତେବେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦୁର୍ନୀତି ଅଭିଯୋଗରେ ବର୍ତ୍ତମାନ ଜେଲରେ ଅଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏହାର ଅନୁସନ୍ଧାନ କରୁଛି । ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ର ଏହି ୭୩ ବର୍ଷିୟ ନେତାଙ୍କୁ ଏହି ମାମଲାରେ ୧୨ ଡିସେମ୍ବରରେ ବମ୍ବେ ହାଇକୋର୍ଟରେ ଜଷ୍ଟିସ ଏମଏସ କର୍ନିକଙ୍କ ଏକକ ବେଞ୍ଚ ଜାମିନ ପ୍ରଦାନ କରିଥିଲେ । ଯଦିଓ କୋର୍ଟ କହିଥିଲେ ଯେ ଏହି ଆଦେଶ ୧୦ ଦିନ ପରେ କାର୍ଯ୍ୟକାରୀ ହେବ, କାରଣ ସିବିଆଇ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବାକୁ ସମୟ ମାଗିଥିଲା ।
ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ବମ୍ବେ ହାଇକୋର୍ଟରେ ଦେଶମୁଖଙ୍କୁ ଜାମିନ ପ୍ରଦାନ ସମ୍ବନ୍ଧରେ ଆଦେଶ ଜାରି କରିବାକୁ ଆବେଦନ କରିଥିଲେ ଏବଂ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୭ ଡିସେମ୍ବରକୁ ସ୍ଥିର କରିଥିଲେ । ଏହି ସମୟ ମଧ୍ୟରେ ସିବିଆଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା, କିନ୍ତୁ କୋର୍ଟରେ ଛୁଟିଦିନ ଥିବାରୁ ଏହା କେବଳ ଜାନୁୟାରୀ ୨୦୨୩ରେ ଶୁଣାଣି ହେବାର ସମ୍ଭାବନା ଥିଲା । ହେଲେ ଆଜି ବମ୍ବେ ହାଇକୋର୍ଟ ସିବିଆଇର ଆବେଦନକୁ ଖାରଜ କରିଦେଇଛନ୍ତି।





