ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର : ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପାଖରେ ହାଜର ହୋଇଛନ୍ତି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ | ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରବାର ନେଇ ଇଡି ଜେରା କରୁଛି । ଜେରା ପାଇଁ ପୂର୍ବରୁ ପୂର୍ବତନ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା ।

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଦୀର୍ଘଦିନ ବ୍ୟବଧାନ ପରେ ଇଡି କାହିଁକି ପ୍ରଭାତଙ୍କୁ ଡାକିଲା, କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ପ୍ରଭାତଙ୍କୁ ଆଜି ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ୍ କରାଯାଇଥିଲା।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମାମଲାରେ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ଗିରଫ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ। କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଥିଲା ବିଜେଡି।

ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ବାଙ୍କୀ ମହୋତ୍ସବ ପାଇଁ ଟଙ୍କା କାରବାର ନେଇ ଏକ ଅଡିଓ ଟେପ୍ ସାମ୍ନାକୁ ଆସିବା ପରେ ସିବିଆଇ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା। ସେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡରୁ ୪୨ ଲକ୍ଷ ଟଙ୍କା ନେଇଥିବା ସିବିଆଇ ଅଭିଯୋଗ କରିଥିଲା।

Related Posts